ଅସୁସ୍ଥ ମାଆକୁ ମଶାଣିରେ ଜିଅନ୍ତା ପୋତି ଦେଲା ପୁଅ; ତିନି ଦିନ ପରେ ଉଦ୍ଧାର ହେଲା ମାଆ

ବେଜିଙ୍ଗ୍‌: ଉତ୍ତର ଚୀନ୍‌ରେ ଜଣେ ବ୍ୟକ୍ତି ଏକ ପରିତ୍ୟକ୍ତ ମଶାଣିରେ ଜିଅନ୍ତା ପୋତି ପକାଇଥିବା ତାଙ୍କ ବୁଢ଼ୀ ମାଆଙ୍କୁ ତିନି ଦିନ ପରେ ମଧ୍ୟ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ହାଲୁକା କରି ମାଟି ଘୋଡ଼ାଯାଇଥିବା ଗାତ ମଧ୍ୟରୁ ତାଙ୍କୁ ଗଭୀର ମାନସିକ ଆଘାତପ୍ରାପ୍ତ ଅବସ୍ଥାରେ ମହିଳାଙ୍କୁ କଢ଼ା ଯାଇଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନରହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

ବୃଦ୍ଧାଜଣକ ଆଶିଂକ ପକ୍ଷାଘାତରେ ଆକ୍ରାନ୍ତ। ବରାବର ତାଙ୍କର ଯତ୍ନ ନେଇ ନେଇ ବିଚରା ପୁଅ ବିରକ୍ତ ହୋଇଯାଇଥିଲା ବୋଲି ‘ଚାଇନା ଡେଲି’ ଖବରକାଗଜ ରିପୋର୍ଟ କରିଛି।

ସେ ବ୍ୟକ୍ତିଙ୍କ ପତ୍ନୀ ପୁଲିସକୁ ଦେଇଥିବା ସୂଚନା ଅନୁସାରେ, ମେ ୨ ତାରିଖ ଦିନ ସ୍ବାମୀ ଶାଶୂଙ୍କୁ ଏକ ଠେଲାଗାଡ଼ିରେ ‌ବାହାରକୁ ନେଇ ଯାଇଥିଲେ। କିନ୍ତୁ, ତିନି ଦିନ ପରେ ମଧ୍ୟ ଶାଶୂ ଘରକୁ ନ ଫେରିବାରୁ ପୁଲିସକୁ ଖବର ଦିଆଯାଇଥିଲା। ଫଳରେ ସ୍ବାମୀଙ୍କୁ ଶାନ୍‌ଜି ପ୍ରଦେଶର ଜିଙ୍ଗ୍‌ବିୟାଙ୍ଗ୍ କାଉଣ୍ଟିରେ ଅଟକ ରଖାଯାଇଥିଲା।

Image Source: Kerala Kaumudi

ଉଦ୍ଧାରକାରୀମାନେ କହିଛନ୍ତି, ‌ଏତେ ଦୁର୍ଦ୍ଦଶା ଭୋଗିବା ପରେ ବି ଗାତରୁ ବାହାରିବା ପରେ ବୃଦ୍ଧାଜଣକ କ୍ଷୀଣ କଣ୍ଠରେ ସାହାଯ୍ୟ ପାଇଁ ଆକୁଳ ନିବଦେନ କରିଥିଲେ।

ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି। ଏ ସଂକ୍ରାନ୍ତରେ ପୁଲିସ ବିଶେଷ କିଛି କହିବାକୁ ମନା କରି ଦେଇଥିଲେ ମଧ୍ୟ ୫୮ ବର୍ଷିୟ ସେ ବ୍ୟକ୍ତିଙ୍କ ସାଗ୍ୟାଁ ‘ୟାନ୍’ ଏବଂ ୭୯ ବର୍ଷୀୟ ତାଙ୍କ ମାଆଙ୍କ ସାଗ୍ୟାଁ ‘ୱାଙ୍ଗ୍’ ବୋଲି କହିଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବୟୋଜ୍ୟେଷ୍ଠଙ୍କ ତତ୍ତ୍ବ ନେବା ପାଇଁ ବିଶେଷକରି, ଅନୁନ୍ନତ ମଫସଲ ଅଞ୍ଚଳରେ ସରକାରଙ୍କର କୌଣସି ସହାୟତା ନାହିଁ। ପରିବାର ଲୋକେ ହିଁ ବୟୋଜ୍ୟେଷ୍ଠ ଆତ୍ମୀୟମାନଙ୍କର ଦେଖାଶୁଣା କରନ୍ତି।

ସମ୍ବନ୍ଧିତ ଖବର