ହାଇଦ୍ରାବାଦ: ଶୁକ୍ରବାର ରାତିରେ ଚିତ୍ତୂର ଅଭିମୁଖେ ଯାଉଥିବା ଗୋଟାଏ ଘରୋଇ ବସ୍ ତେଲେଙ୍ଗାନାର ଜୋଗୁଲମ୍ବା ଗଡ଼ୱାଲ୍ ଜିଲ୍ଲାରେ ଓଲଟିପଡ଼ି ପୋଡ଼ିଯିବାରୁ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ମରିଯାଇଥିବା କଥା ପୁଲିସ କହିଛି।
ଏହି ଅଘଟଣରେ ଆଉ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗଡ଼ୱାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ରାତି ପ୍ରାୟ ୨.୩୦ରେ ହାଇଦ୍ରାବାଦ-ବାଙ୍ଗାଲୋର୍ ଜାତୀୟ ରାଜପଥ ନିକଟ ଏରାବଳି ଛକରେ ବସ୍ଟି ଓଲଟି ପଡ଼ିଥିଲା।
ପୁଲିସ କହିଛି, ଜଗନ୍ ଆମାଜନ୍ ଟ୍ରାଭେଲ୍ର ଉକ୍ତ ଭଲ୍ଭୋ ବସ୍ ହାଇଦ୍ରାବାଦରୁ ଚିତ୍ତୂର ଅଭିମୁଖେ ଯାଉଥିବା ବେଳେ ଶୁକ୍ରବାର ରାତି ୩ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶୋଇ ପଡ଼ିବା କାରଣରୁ ଡ୍ରାଇଭର୍ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ଟି ଓଲଟି ପଡ଼ିଲା ଓ ସେଥିରେ ନିଆଁ ଲାଗିଗଲା।
ଖବର ପାଇ ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁ ଲିଭାଇ ଥିଲା। ବସ୍ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
ବସ୍ରେ ୪୦/୫୦ଜଣ ଯାତ୍ରୀ ଥିଲେ। ଝରକା କାଚ ଭାଙ୍ଗି ଯାତ୍ରୀମାନେ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଲେ। କିନ୍ତୁ, ହାତ ଲାଖି ରହିଯିବାରୁ ଜଣେ ମହିଳା ବସ୍ରୁ ବାହାରି ପାରି ନ ଥିଲେ। ବସ୍ ପୋଡ଼ିଯିବା ସହିତ ସେ ମଧ୍ୟ ପୋଡ଼ି ଗଲେ। ମୃତା ମହିଳାଙ୍କର ପରିଚୟ ମିଳିନାହିଁ। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।