ବିନା ସହମତିରେ ମହିଳାଙ୍କୁ ଛୁଇଁବା ଅପରାଧ

ନୂଆଦିଲ୍ଲୀ : ଦେଶରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ମାମଲା ବୃଦ୍ଧି ପାଇ ଚାଲିଥିବା ବେଳେ ଆଜି ଦିଲ୍ଲୀ ହାଇକୋର୍ଟ ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ ଆଜି ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କହିଛନ୍ତି, ଯେ ମହିଳାଙ୍କ ସହମତି ବିନା ତାଙ୍କୁ କେହି ଛୁଇଁ ପାରିବେ ନାହିଁ। ଏହାକୁ ଅପରାଧ ବୋଲି ଧରାଯିବ। କୋର୍ଟ କହିଛନ୍ତି, ବହୁ ଆଇନ ସତ୍ତ୍ୱେ ଯୌନ ବିକୃତିସଂପନ୍ନ ପୁରୁଷଙ୍କ ଦ୍ୱାରା ବାଳିକା ଓ ଯୁବତୀଙ୍କୁ ଉତ୍ପୀଡ଼ନ ଏବେ ବି ଜାରି ରହିଛି।

ଆଜି କୋର୍ଟରେ ଜଣେ ୯ ବର୍ଷର ବାଳିକାକୁ ଖରାପ ଉଦ୍ଦେଶ୍ୟ ନେଇ ଛୁଇଁବା (ଯୌନ ଶୋଷଣ) ମାମଲାର ଶୁଣାଣି କରିବା ବେଳେ ଅତିରିକ୍ତ ସେସନ୍ସ ଜଜ୍‌ ସୀମା ମାଇନି ଏଭଳି କହିଛନ୍ତି। ଉତ୍ତର ଦିଲ୍ଲୀର ମୁଖାର୍ଜୀ ନଗରରେ ଏହି ଘଟଣା ୨୦୧୪ ସେପ୍‌୍‌ଟେମ୍ବର ୨୫ରେ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ଛବିରାମ ନାୟକକୁ କୋର୍ଟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ମାମଲାର ବିଚାର ଅବସରରେ କହିଛନ୍ତି ଯେ ମହିଳାଙ୍କ ଶରୀର ସେମାନଙ୍କ ନିଜର ଏବଂ ଏହା ଉପରେ କେବଳ ସେମାନଙ୍କର ହିଁ ଅଧିକାର ରହିଛି। ଅନ୍ୟ କୌଣସି ବ୍ୟକ୍ତି ମହିଳାଙ୍କ ବିନା ଅନୁମତିରେ ତାଙ୍କୁ ଛୁଇଁ ପାରିବ ନାହିଁ। ମହିଳାଙ୍କ ବ୍ୟକ୍ତି ସ୍ୱତନ୍ତ୍ରତା ଅଧିକାରକୁ ପୁରୁଷମାନେ ମାନୁ ନାହାନ୍ତି ଏବଂ ସେମାନେ ନିଜ କାମ ବାସନାକୁ ଚରିତାର୍ଥ କରିବା ପାଇଁ ବାଳିକା ଓ ଅସହାୟ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଚାଲିଛନ୍ତି। ଏ କ୍ଷେତ୍ରରେ ଆଇନ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା ପାରଦର୍ଶୀ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ସର୍ବସାଧାରଣ ସ୍ଥାନରେ ବି ଭିଡ଼ର ସୁଯୋଗ ନେଇ କିଛି ବ୍ୟକ୍ତି ବାଳିକା ଓ ମହିଳାମାନଙ୍କୁ କୁତ୍ସିତ ଉଦ୍ଦେଶ୍ୟ ରଖି ଅଯଥା ସ୍ପର୍ଶ କରିଥାନ୍ତି। ଏହା ଏକ ଅପରାଧ ହୋଇଥିଲେ ମଧ୍ୟ ଆଇନକୁ କଡ଼ାକଡ଼ି ପାଳନ କରୁ ନଥିବାରୁ ଅଭିଯୁକ୍ତମାନେ ଏଥିରୁ ଖସି ଯାଉଛନ୍ତି।

ସମ୍ବନ୍ଧିତ ଖବର