‘ବିବାହିତା ମହିଳା ଚାହିଁଲେ ସ୍ୱାମୀଙ୍କ ସହିତ ରହି ନ ପାରନ୍ତି’

ନୂଆଦିଲ୍ଲୀ:ବିବାହିତା ମହିଳା ଚାହିଁଲେ ସ୍ୱାମୀଙ୍କ ସହିତ ରହି ନ ପାରନ୍ତି। ଜଣେ ପ୍ରାପ୍ତ ବୟସ୍କ ମହିଳା ଭାବେ ସେ କେଉଁଠି ରହିବେ ସେ ନେଇ ନିଷ୍ପତ୍ତି ନେବାର ଅଧିକାର ସମ୍ପୃକ୍ତ ମହିଳାଙ୍କର ରହିଛି ବୋଲି ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଲ.ଏମ ଖାନଓ୍ଵିଲକର, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଧର୍ମାନ୍ତରିତ ମୁସଲମାନ ଯୁବକ ତାଙ୍କ ହିନ୍ଦୁପତ୍ନୀଙ୍କୁ ନେଇ କରିଥିବା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ ୩୩ ବର୍ଷୀୟ ଜଣେ ମୁସଲମାନ ଯୁବକ ଛତିଶଗଡ଼ ରାୟପୁରର ଜଣେ ହିନ୍ଦୁ ଜୈନ ଯୁବତୀଙ୍କୁ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ। ଉଭୟ ବିବାହ ମଧ୍ୟ କରିଥିଲେ। ତେବେ ବିିବାହର କିଛିଦିନ ପରେ ସେ ଯୁବତୀ ଜଣକ ତାଙ୍କ ବାପାମାଙ୍କ ପାଖକୁ ଯାଇ ଆଉ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ନ ଥିଲେ। ଏ ନେଇ ମୁସଲମାନରୁ ହିନ୍ଦୁ ଧର୍ମକୁ ଗ୍ରହଣ କରି ନିଜ ନାମ ଆର୍ଯ୍ୟନ ଆର୍ଯ୍ୟ ରଖିଥିବା ଏହି ଯୁବକ ଜଣକ ଚଳିତ ମାସ ୧୭ ତାରିଖ ଦିନ ସୁପ୍ରିମ କୋର୍ଟରେ ଏକ ହବିସ କର୍ପସ ମାମଲା ଦାୟର କରି ତାଙ୍କ ପତ୍ନୀଙ୍କୁ ତାଙ୍କ ପରିବାର ଓ ମୌଳବାଦୀ ହିନ୍ଦୁ ସଙ୍ଗଠନ ଘରେ ରଖିବା ସହିତ ସେମାନଙ୍କୁ ଅଲଗା କରି ରଖିଛନ୍ତି ବୋଲିି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଭିତ୍ତିରେ ସୁପ୍ରିମ କୋର୍ଟ  ଧମତରି ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ସମ୍ପୃକ୍ତ ମହିଳାଙ୍କୁ ଅଗଷ୍ଟ ୨୭ ତାରିଖରେ ସୁପ୍ରିମକୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମହିଳାଜଣକ କୋର୍ଟରେ ଉପସ୍ଥିତ ହୋଇ ଯେଉଁ କଥା କହିଥିଲେ ଏଥିରେ ତାଙ୍କ ସ୍ୱାମୀଙ୍କ ହୋସ୍‌ ଉଡ଼ିଯାଇଥିିଲା। ମହିଳା ଜଣକ କହିଥିଲେ ଯେ ସେ ଆର୍ଯ୍ୟନ ଆର୍ଯ୍ୟଙ୍କୁ ବିବାହ କରିଛନ୍ତି। କିନ୍ତୁ ସେ ଏବେ ତାଙ୍କ ବାପାମାଆଙ୍କ ସହିତ ରହିବାକୁ ଚାହୁଁଛନ୍ତି। ଏଥିପାଇଁ କେହି ତାଙ୍କ ଉପରେ ଚାପ ପ୍ରାୟୋଗ କରି ନାର୍ହାଁନ୍ତି। ଆର୍ଯ୍ୟନ ଆର୍ଯ୍ୟଙ୍କ ଓକିଲ କହିଥିଲେ ଯେ ସମ୍ପୃକ୍ତ ମହିଳାଙ୍କ ଉପରେ ପ୍ରବଳ ମାନସିକ ଚାପ ଦିଆଯାଉଥିବାରୁ ସେ ଏପରି ବୟାନ ଦେଇଛନ୍ତିି। ଏଥିିରେ କୋର୍ଟ ହସ୍ତକ୍ଷେପ କରି କହିଥିଲେ ଯେ ମହିଳା ଜଣକ ଜଣେ ପ୍ରାପ୍ତବୟସ୍କ। ତେଣୁ ନିଜ ସମ୍ପର୍କରେ ନିଷ୍ପତ୍ତି ନେବାର ତାଙ୍କର ଅଧିକାର ଅଛି।

ସମ୍ବନ୍ଧିତ ଖବର