ନୂଆଦିଲ୍ଲୀ: ବେଳେ ବେଳେ ରୋଗର ପରୀକ୍ଷା ରିପୋର୍ଟ ଭୁଲ ଆସୁଥିବାରୁ ଅନେକ ଲୋକ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଶିକାର ହୋଇଥାନ୍ତି। ରୋଗ ହୋଇ ନ ଥିଲେ ମଧ୍ୟ ସେମାନଙ୍କୁ ସେହି ରୋଗର ଚିକିତ୍ସା କରାଇବାକୁ ପଡ଼ିଥାଏ। ପରବର୍ତ୍ତୀ ମୂହୁର୍ତ୍ତରେ ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ଏବେ ସେଭଳି କିଛି ଘଟିଛି ଇଂଲଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହ।
କର୍କଟ ରୋଗର ଶିକାର ନ ହୋଇ ମଧ୍ୟ ଗୋଟିଏ ଭୁଲ ରିପୋର୍ଟ ପାଇଁ ଆଜି ତାଙ୍କୁ ଅକଥନୀୟ କଷ୍ଟ ସହିବାକୁ ପଡ଼ୁଛି। ସ୍ତନ କର୍କଟ ରୋଗର ଶିକାର ହୋଇଥିବା ନେଇ ରିପୋର୍ଟରେ ସାମ୍ନାକୁ ଆସିବା ପରେ ମହିଳାଜଣଙ୍କ ନିଜର ଚିକିତ୍ସା ଆରମ୍ଭ କରିଥିଲେ। ୨୫ବର୍ଷୀୟା ମହିଳାଙ୍କୁ ଅନେକ ଥର କେମୋଥେରାପି ନେବାକୁ ପଡ଼ିଥିଲା। କିଛି ମାସ ପରେ କର୍କଟ ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ଦୁଇଟି ସ୍ତନକୁ ଶରୀରରୁ କାଢ଼ିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ। ଏହା ପରେ ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ଦୁଇଟି ସ୍ତନ କଢ଼ାଯାଇଥିଲା।
/sambad/media/post_attachments/efba9425786d5a62674263afad4325d83a705cb9c8f00c1724b6bff4e198e576.jpg)
ଏତେ ସବୁ କରି ସାରିବା ପରେ ଶେଷରେ ଯେଉଁ ରିପୋର୍ଟ ମହିଳାଙ୍କ ସାମ୍ନାକୁ ଆସିଥିଲା, ତାହା ତାଙ୍କୁ ଚମକାଇ ଦେଇଥିଲା। ସେ ସ୍ତନ କର୍କଟ ରୋଗର ଶିକାର ନ ଥିଲେ ବୋଲି ରିପୋର୍ଟରେ ଲେଖାଥିବା ସହ ପୂର୍ବ ରିପୋର୍ଟ ଭୁଲ ଥିଲା ବୋଲି ଡାକ୍ତରଖାନା ପକ୍ଷରୁ କୁହାଯିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏବେ ବାରମ୍ବାର କେମୋଥେରାପି ନେଇ ସେ ଦୁର୍ବଳ ହୋଇ ଯାଇଥିବା ବେଳେ ଚାଲିବା ପାଇଁ କଷ୍ଟ ଅନୁଭବ କରୁଛନ୍ତି। ଏବେ ଡାକ୍ତରଖାନାର ଏଭଳି ଅବହେଳା ବିଷୟରେ ଜାଣି ସେ ଅନ୍ୟ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଛନ୍ତି।