ଦୁଃଖଦ ଘଟଣା: ମା’ କରୋନା ସଂକ୍ରମିତ ହୋଇ ଆଖିବୁଜିଲା ପରେ ଝିଅ ପାଞ୍ଚ ମହଲାରୁ ଡେଇଁ କଲା ଆତ୍ମହତ୍ୟା

ଭୋପାଳ: କରୋନା ମହାମାରୀ ଏମିତି ସମୟ ଦେଖାଇବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକେ ପୋକମାଛି ଭଳି ମରୁଥିବା ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲା ମଣ୍ଡିଦୀପରେ ମା’ର କରୋନାରେ ମୃତ୍ୟୁ ହୋଇଥିବା ଖବର ପାଇ ୨୩ବର୍ଷୀୟ ଯୁବତୀ ପାଞ୍ଚ ମହଲାରୁ ଡେଇଁ  ଆତ୍ମହତ୍ୟା କରିଛି।

ସୂଚନାଯୋଗ୍ୟ, ମୃତ ଯୁବତୀଙ୍କ ମା’ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମା’ର ମୃତ୍ୟୁ ଖବର ପାଇବା ପରେ ୨୩ବର୍ଷୀୟ ଝିଅ ଏହାକୁ ସହି ପାରି ନ ଥିଲା। କ’ଣ କରିବ କିଛି ବୁଝି ପାରି ନ  ଥିଲା। ଦୁଃଖରେ ସେ ନିଜ ଜୀବନ ହାରିବା ପାଇଁ ପାଞ୍ଚ ମହଲାରେ ଥିବା ବାଲକୋନିକୁ ଚାଲି ଯାଇଥିଲା।

ଘର ଲୋକ ଝିଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ବାଲକୋନିରୁ ଡେଇଁ ପଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାରଲୋକେ ଝିଅକୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ମଣ୍ଡିଦୀପ ୱାର୍ଡ ୨୪ କୋଲାର ରୋଡସ୍ଥିତ ହିମାଂଶୁ କଲୋନିରେ ଘଟିଛି। ଏକାଠି ମା’ ଓ ଝିଅକୁ ହରାଇବା ପରେ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର