ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ବର୍ବରତା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ପ୍ରେସର୍‌କୁକର୍‌ରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି। ପୀଡ଼ିତା ୩୫ ବର୍ଷୀୟ ଭେଙ୍କଟ ମାଧବୀଙ୍କ ପିତାମାତା ଗତ ଜାନୁଆରି ୧୮ ତାରିଖରେ ମୀରପେଟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପିଶାଚ ସ୍ବାମୀ ଗୁରୁମୂର୍ତ୍ତି ନିଜର ଶାଶୂଶ୍ବଶୁରଙ୍କ ସହ ଥାନାକୁ ନିଖୋଜ ଅଭିଯୋଗ ଦାଖଲ ପାଇଁ ଯାଇଥିଲା। ତେବେ ପୁଲିସ୍ ପଚରାଉଚରା କରିବାରୁ ସେ ନିଜ ଅପରାଧର ପେଡ଼ି ଖୋଲିଛି। ପ୍ରକାଶମ୍ ଜିଲ୍ଲାର ମୂଳ ବାସିନ୍ଦା ତଥା ପୂର୍ବତନ ସେନା ଯବାନ ଗୁରୁମୂର୍ତ୍ତି କାଞ୍ଚନବାଗରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ମାଧବୀ ଓ ଗୁରୁମୂର୍ତ୍ତିଙ୍କ ବାହାଘର ୧୩ ବର୍ଷ ତଳେ ହୋଇଥିଲା।

Advertisment

ଭେଙ୍କ‌େଟଶ୍ବର କଲୋନିରେ ସେମାନେ ଗତ ୫ ବର୍ଷ ହେଲା ସେମାନଙ୍କ ଦୁଇ ପିଲାଙ୍କ ସହ ରହୁଥିଲେ। ଘଟଣା ଦିନ ପିଲାମାନେ ପିଉସୀଘରକୁ ଯାଇଥିଲେ। ନନ୍ଦିଆଲ୍‌ସ୍ଥିତ ବାପଘରକୁ ଯିବା ଲାଗି ପତ୍ନୀର ଜିଦ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସେ ପତ୍ନୀଙ୍କୁ ହତ୍ୟା କରିଥିଲା। ଗାଧୁଆ ଘରେ ମରଶରୀରକୁ ଧାରୁଆ ଅସ୍ତ୍ରରେ ଖଣ୍ଡଖଣ୍ଡ କରି କାଟିଥିଲା। ମାଂସ ଓ ହାଡ଼କୁ ୩ ଦିନ ଧରି ବାରମ୍ବାର ସିଝାଇଥିଲା।  ହାଡ଼କୁ ଗୁଣ୍ଡ କରିବା ପରେ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ନିକଟସ୍ଥ ହ୍ରଦରେ ଫିଙ୍ଗି ଦେଇଥିଲା। ତେବେ ପୁଲିସ କହିଛି ଯେ ଯେଉଁ ହ୍ରଦରେ ମରଶରୀରକୁ ଫିଙ୍ଗିଥିଲା ବୋଲି ଅଭିଯୁକ୍ତ କହିଛି, ସେଠାରୁ ବର୍ତ୍ତମାନ ସୁଦ୍ଧା ତାହା ମିଳିନାହିଁ। ଘଟଣାସ୍ଥଳରେ ତଦନ୍ତକାରୀ ଅଧିକାରୀ ଓ ଡଗ୍‌ ସ୍କ୍ବାଡ୍‌  ଖୋଜାଖୋଜି ଚଳାଇଛନ୍ତି। ଗୁରୁମୂର୍ତ୍ତି ନିଜର ଅପରାଧ ସ୍ବୀକାର କରିଥିଲେ ମଧ୍ୟ ଏ ନେଇ ବଳିଷ୍ଠ ପ୍ରମାଣ ଓ ସାକ୍ଷୀ ମିଳିନାହିଁ ବୋଲି ଏଲ୍‌ପିନଗର ଡିସିପି କହିଛନ୍ତି। ମୀରପେଟ ଥାନାର ଏସ୍‌ଏଚ୍‌ଓ କେ ନାଗରାଜୁ କହିଛନ୍ତି, ହତ୍ୟାକାଣ୍ଡର କୌଣସି ପ୍ରମାଣ ବର୍ତ୍ତମାନ ସୁଦ୍ଧା ମିଳି ନଥିବାରୁ ଏକ ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।