ୟୁପି: ଜମି ବିବାଦକୁ ନେଇ ପୁଲିସ୍‌ ସହଯୋଗ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶରୀରରେ ନିଆଁ ଲଗାଇଲେ ମାଆଝିଅ

ଲକ୍ଷ୍ନୌ: ଆମେଥିରେ ଥିବା ଜମି ବିବାଦକୁ ନେଇ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଦାବି କରି ଉତ୍ତର ପ୍ରଦେଶର ଜଣେ ମହିଳା ଓ ତାଙ୍କ ଝିଅ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ମାଆ ଓ ଝିଅ ଏବେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସୂଚନା ରହିଛି।

ରାଜଧାନୀର କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରେ ଏପରି ଶୁକ୍ରବାର ସଂଖ୍ୟା ୫.୪୦ରେ ଘଟିଥିବା ଏହି ଘଟଣା ସଭିଙ୍କୁ ଚକିତ କରିଛି। ମାଆଝିଅ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ନିୟୋଜିତ ଥିବା ପୁଲିସ୍‌ କର୍ମୀ ସେମାନଙ୍କୁ ଉଦ୍ଧାର କରିଥିଲେ।

 

ଏହି ଘଟଣା ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆମେଥିର ଜାମୋ ଅଞ୍ଚଳରେ ମହିଳାଙ୍କର ଜମି ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଏନେଇ କୌଣସି ପ୍ରକାର ସହଯୋଗ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ ମାଆଝିଅ। ଶେ‌ଷରେ ‌ସେମାନେ ସେଠାରେ ପହଞ୍ଚି ଲୋକ ଭବନ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ୍‌ କର୍ମୀ କହିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର