ନାଗପୁର: ନାଗପୁର ସରକାରୀ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହସ୍ପିଟାଲ୍‌ରେ ନର୍ସମାନଙ୍କ ଅବହେଳା ହେତୁ ପ୍ରସୂତୀ ନିଜେ ତାଙ୍କ ନିଜ ପିଲାର ପ୍ରସବ କରାଇଛନ୍ତି। ପ୍ରଥମ ଥର ମାଆ ବନିଥିବା ହୁଡକେଶ୍ୱରର ସୁଖେନି ଶ୍ରୀକାନ୍ତ ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ବ ହେବା ପରେ ଶନିବାର ସଂଧ୍ୟାରେ ନାଗପୁରର ସରକାରୀ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମାତ୍ର ସେ ଭର୍ତ୍ତି ହେବା ପରେ ନର୍ସମାନେ ତାଙ୍କୁ ଡେଲିଭରି ଓ୍ଵାର୍ଡର ଛାଡ଼ି ଦେଇ କେଉଁ ଆଡ଼େ ଚାଲି ଯାଇଥିଲେ।

Advertisment

ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କେହି ହେଲେ ଡାକ୍ତରଖାନା କର୍ମଚାରୀ ତାଙ୍କ ନିକଟକୁ ଆସି ନ ଥିଲେ। ଶେଷରେ ତାଙ୍କ ପେଟରେ ଥିବା ଶିଶୁର ମୁଣ୍ଡ ବାହାରକୁ ଦିଶିଥିଲା। ମହିଳା ଜଣକ କଷ୍ଟ ସହ୍ୟ କରିନପାରି ନିଜ ହାତରେ ଶିଶୁଟିକୁ ବାହାରକୁ ଟାଣି ଆଣିଥିଲେ। ମହିଳା ଏବେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ମହିଳା ଜଣକ ଶନିବାରରୁ ସୋମବାର ପର୍ଯ୍ୟନ୍ତ ନିଜ ନବଜାତ ଶିଶୁକୁ ଧରି ତଳେ ପଡ଼ି ରହିଥିଲେ। ତାଙ୍କ ସଂପର୍କୀୟମାନେ ଅଭିଯୋଗ ଆଣିବା ପରେ ତାଙ୍କୁ ସୋମବାର ଯାଇ ଖଟ ମିଳିଥିଲା। ସୁଖେନିଙ୍କ ସ୍ୱାମୀ ଅଭିଯୋଗ ଆଣି ଦାୟିତ୍ୱଶୂନ୍ୟ ନର୍ସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।