ନୂଆଦିଲ୍ଲୀ: ରାଜସ୍ଥାନର ଧୌଲପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହେବାରୁ ସ୍ତ୍ରୀ ଶବ ପାଲଟି ଯାଇଛନ୍ତି। ଏଥିସହିତ ଝିଅ ବି ଏହି ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।
ସୂଚନାଯୋଗ୍ୟ, ଧୌଲପୁର ଜିଲ୍ଲା କଲେଜ ରୋଡସ୍ଥିତ ତଗାବଲି ରେଲୱେ ଫାଟକ ନିକଟ ଦେଇ ମୃତ ମହିଳା ନିଜ ଝିଅ ସହିତ ସ୍ବାମୀଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ହେତୁ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ମା’ ଓ ଝିଅ ଦୁହିଁଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଏହି ଧକ୍କାରେ ଘଟଣାସ୍ଥଳରେ ମା’ ଓ ଝିଅ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମା’ ଓ ଝିଅ ଦୁହିଁଙ୍କ ମୃତଦେହ ଉଦ୍ଧାର କରି ପରିବାରଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲା।
ପୁଲିସ ଦୁର୍ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ ମା’ ଓ ଝିଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପରିବାରଲୋକ ପୁଲିସକୁ ଦେଇଥିବା ସୂଚନା ଅନୁସାରେ ମୃତକ ଦ୍ବୟ ସମ୍ପର୍କରେ ମା’ ଓ ଝିଅ।
ମା’ଙ୍କ ନାମ ଭୁରି ଦେବୀ (୭୦) ଓ ଝିଅଙ୍କ ନାମ ବିନୁ (୨୧)। ଭୁରି ଦେବୀଙ୍କ ସ୍ବାମୀ ଅନେକ ଦିନରୁ ଅସୁସ୍ଥ ଅଛନ୍ତି। ତେଣୁ ସେ ଝିଅ ସହିତ ସ୍ବାମୀଙ୍କ ଆରୋଗ୍ୟ କାମନା କରିବା ପାଇଁ ମନ୍ଦିରକୁ ଯାଉଥିବା ବେଳେ ରେଲଧାରଣା ଅତିକ୍ରମ କରୁଥିଲେ। ଏତିକି ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।