ନୂଆଦିଲ୍ଲୀ: ବିହାରର ଭାଗଲପୁର ଅଞ୍ଚଳସ୍ଥ ଜେଲରୁ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି। ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ସ୍ବାମୀଙ୍କୁ ଦେଖିବା ପାଇଁ ଗର୍ଭବତୀ ସ୍ତ୍ରୀ ଯାଇଥିଲେ। ସେ ଯେମିତି ହିଁ ସ୍ବାମୀଙ୍କ ଚେହେରା ଜେଲରେ ଦେଖିଥିଲେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଭାଗଲପୁର ଅଞ୍ଚଳର ଗୋବିନ୍ଦପୁରରେ ବସବାସ କରୁଥିବା ଗୁଡ୍ଡୁ ଯାଦବ ପଲ୍ଲବୀ ଯାଦବଙ୍କୁ ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ଇତିମଧ୍ୟରେ ପଲ୍ଲବୀ ୮ମାସର ଗର୍ଭବତୀ ଥିଲେ, ମାତ୍ର ୨୦ଦିନ ମଧ୍ୟରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସୂଚନା ଦେଇଥିଲେ।
ଏଭଳି ସମୟରେ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପଲ୍ଳବୀଙ୍କ ସ୍ବାମୀ ଗୁଡ୍ଡୁଙ୍କୁ ଜେଲ୍ ହୋଇ ଯାଇଥିଲା। ଏହାପରେ ଗୁଡ୍ଡୁ ଭାଗଲପୁର ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଥିଲେ। ୮ ମାସର ଗର୍ଭବତୀ ଥିବା ପଲ୍ଲବୀ ଗତ କାଲି ସ୍ୱାମୀଙ୍କୁ ଦେଖା କରିବାକୁ ଜେଲ୍କୁ ଯାଇଥିଲେ। ସେଠାରେ ସ୍ୱାମୀଙ୍କୁ ଦେଖୁ ଦେଖୁ ଅଚେତ ହୋଇ ପଡ଼ିଲେ ପଲ୍ଲବୀ।
ପରିବାର ଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମାୟାଗଞ୍ଜ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଃଖର ବିଷୟ ବି କିଛିଦିନ ପରେ ଏ ଦୁନିଆକୁ ଆସିବାକୁ ପ୍ରସ୍ତୁତ ହେଉଥିବା ଛୁଆ ବି ପଲ୍ଲବୀଙ୍କ ପେଟରେ ସବୁ ଦିନ ପାଇଁ ଆଖି ବୁଜି ଦେଇଛି।