ଗୁରୁଗ୍ରାମ: ୬୭ ବର୍ଷୀୟ ଜଣେ ମହିଳାଙ୍କ ପୁଅ ସହରର ଏକ ଡାକ୍ତରଖାନା ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତାଙ୍କର ଅଭିଯୋଗ ମାଆଙ୍କ ଠାରେ କରାଯାଇଥିବା ଏକ ଅସ୍ତ୍ରୋପଚାରରେ ଅବହେଳା କରାଯାଇଥିଲା ଏବଂ ବିଲ୍ ବଢ଼ାଇ ଯାଇ ୧୭ ଲକ୍ଷ ଟଙ୍କା କରାଯାଇଛି।
ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ଏବେ ମାମଲା ରୁଜୁ ହେବ ନା, ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରି ରିପୋର୍ଟ ଦେବା ପରେ ଯାଇ ମାମଲା ରୁଜୁ ହେବ ତାହା ସ୍ଥିର ହୋଇ ପାରି ନାହିଁ।
ଅଲ୍ଓ୍ଵାର୍ ରାଜସ୍ଥାନର ସାବିତ୍ରୀ ଦେବୀଙ୍କୁ ଜାନୁଆରି ୮ ତାରିଖ ଦିନ କଲୁମ୍ବିଆ ଏସିଆ ହସ୍ପିଟାଲ୍ରେ ଦାଖଲ କରାଯାଇଥିଲା। ତାଙ୍କ ପୁଅ କହୁଛନ୍ତି କି, ତାଙ୍କ ପୀତକୋଷରେ ପଥୁରୀ ହୋଇଥିବାରୁ ତାହା କାଢ଼ିବା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହେଉଥିଲା। ତହିଁ ଆରଦିନ ସକାଳେ ତାଙ୍କର ଅସ୍ତ୍ରୋପଚାର ହେଲା। କିନ୍ତୁ ଡାକ୍ତରଖାନା ତରଫରୁ କୁହାଗଲା କି, ଅସ୍ତ୍ରୋପଚାର କରାଯାଇ ନାହିଁ। କଲୁମ୍ବିଆ ଏସିଆ ହସ୍ପିଟାଲ୍ର ସାଧାରଣ ପରିଚାଳକ ଡାକ୍ତର ଚୈତନ୍ୟ ପଠାଣିଆ କହନ୍ତି ଅଗଷ୍ଟ ୨୦୧୭ରେ ସାବିତ୍ରୀ ଦେବୀ ଅନ୍ୟ ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇ ପୀତକୋଷରୁ ପଥୁରୀ କାଢ଼ିବା ବେଳେ ତାଙ୍କ ପୀତକୋଷଟିକୁ କାଢ଼ି ଦିଆ ଯାଇଥିଲା। କିନ୍ତୁ କମନ୍ ବାଇଲ୍ ଡକ୍ଟ୍ରୁ ଏକ ପଥୁରୀ କାଢ଼ିବାକୁ ତାଙ୍କୁ କଲୁମ୍ବିଆ ଏସିଆରେ ଦାଖଲ କରାଯାଇଥିଲା।
ସାବିତ୍ରୀ ଦେବୀଙ୍କ ପୁଅ ରାଜେନ୍ଦ୍ର ସିଂହ କହନ୍ତି, ଅସ୍ତ୍ରୋପଚାର ପରେ ଜାନୁଆରି ୯ ତାରିଖ ଦିନ ମାଆଙ୍କ ଖୁବ୍ ଜୋର୍ ପେଟ ବିନ୍ଧିଲା। ସେ ଆହୁରି କହିଛନ୍ତି ଯେ ପରୀକ୍ଷାରୁ ଜଣାପଡ଼ିଲା କି, ତାଙ୍କ ଅନ୍ତଃନଳୀ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଡାକ୍ତରଖାନା ତରଫରୁ ତାଙ୍କଠାରେ ଆଉ ୩ ଥର ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଭେଣ୍ଟିଲେସନ୍ରେ ରଖାଗଲା। ଜାନୁଆରି ୨୬ ତାରିଖ ଦିନ ସେ ହୃଦ୍ଘାତ ଯୋଗୁଁ ପ୍ରାଣ ହରାଇଲେ।
ଜାନୁଆରି ୨୭ ତାରିଖ ଦିନ ଥାନାରେ କରିଥିବା ଅଭିଯୋଗରେ ସେ କହିଛନ୍ତି, ତା’ପରେ ସମୁଦାୟ ଚିକିତ୍ସା ପାଇଁ ଖର୍ଚ୍ଚ ବାବଦକୁ ୧୭ ଲକ୍ଷ ଟଙ୍କା ପଇଠ କରିବାକୁ ତାଙ୍କ ନିକଟକୁ ହସ୍ପିଟାଲ୍ ବିଲ୍ ଦେଇଛନ୍ତି।