ଦେଖନ୍ତୁ ଭିଡିଓ: ଜଳନ୍ତା କୋଠାରୁ ବାହାରିବା ବେଳେ ମାଆ କାଖରୁ ଖସି ପଡୁଛି ଛୁଆ; ଧରୁଛନ୍ତି ଝରକା ବାହାରେ ଥିବା ପ୍ରହରୀ

ବେଜିଙ୍ଗ୍‌: ଜାନୁଆରି ୨୪ ତାରିଖ ଦିନ ଚୀନ୍‌ର କ୍ୱିତାଇହେ ନିଆଁ ଲାଗିଥିବା ଏକ କୋଠାଘରୁ ଝରକା ଦେଇ ବାହାରି ଯିବାକୁ ଉଦ୍ୟମ କଲାବେଳେ ଜଣେ ମହିଳାଙ୍କ କାଖରୁ ତାଙ୍କ ଛୁଆଟି ତଳକୁ ଖସି ପଡ଼ିଲା। ଯୋଗକୁ ବାହାର ପାଖରେ ଥିଲେ ଜଣେ ବ୍ୟକ୍ତି। ପିଲାଟି ପଡୁଥିବା କଥା ସେ ଜାଣି ନ ଥିଲେ। କିନ୍ତୁ, କ’ଣ ଗୋଟାଏ ଘଟିବାକୁ ଯାଉଛି ଭାବି ସେ ବୁଲିପଡ଼ି ତୁରନ୍ତ ସେ ପିଲାଟିକୁ ଧରି ପକାଇବାରୁ ସେ ନିଶ୍ଚିତ ମରଣରୁ ବଞ୍ଚିଗଲା।

ଏହି ରୋମାଞ୍ଚକର ଦୃଶ୍ୟ ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମ ଟୁଇଟର୍‌ରେ ଭାଇରାଲ୍‌ ହୋଇଛି। ଏଥିରେ ଦେଖାଯାଉଛି ମହିଳାଜଣକ ନିଆଁ ଲାଗିଛି ବୋଲି କୁହାଯାଉଥିବା ଏକ ବହୁତଳ ଅଟ୍ଟାଳିକାରୁ ତଳକୁ ଡେଇଁପଡ଼ିବା ନିମନ୍ତେ ଛୁଆକୁ କାଖେଇ ଝରକା ଧାରରେ ବସୁଛନ୍ତି। କିନ୍ତୁ, କୌଣସି କାରଣରୁ ଛୁଆଟି ଗୁଡ଼ା ହୋଇଥିବା ଲୁଗାରୁ ଖସି ପଡୁଛି। ଯୋଗକୁ ସେତେବେଳେ ଝରକା ପାଖରେ ଠିଆ ହୋଇଥିବା ପ୍ରହରୀଜଣକ ଠିକଣା ସମୟରେ ସେ ଛୁଆଟିକୁ ଶୂନ୍ୟେ ଶୂନ୍ୟେ ଧରି ପକାଉଛନ୍ତି। ଭିଡିଓଟିର ଶୀର୍ଷକରେ ଉଲ୍ଲେଖ ଅଛି ଯେ ପିଲାଟି ଦୁର୍ଘଟନାରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଛି।

ଭଡିଓଟି ପୋଷ୍ଟ୍‍ ହେବା ପରେ ବିଶେଷକରି, ପ୍ରହରୀଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଲୋକେ ତାଙ୍କୁ ସାବାସିରେ ପୋତି ପକାଇବା ସହ ହିରୋ ବୋଲି କହିଛନ୍ତି।

ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଛନ୍ତି: ଭାରି ଚତୁର ଓ ସାହସୀ ମଣିଷ, ଆପଣ ଜୀବନ ରକ୍ଷକ। ଅନ୍ୟ ଜଣେ ଲେଖିଛନ୍ତି: ଚମତ୍କାର ଚଳଚ୍ଚିତ୍ର, ଏ ବ୍ୟକ୍ତିଙ୍କୁ ସାହସିକ ପୁରସ୍କାର ଦେବା କଥା! ଆହୁରି ଜଣେ ଲେଖିଛନ୍ତି: ଠାକୁରଙ୍କର ଜଣେ ବୀର!

ସମ୍ବନ୍ଧିତ ଖବର