ମୁମ୍ୱାଇ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ପୁଣି ଥରେ ବଢ଼ି ଭୟ ସୃଷ୍ଟି କରିଛି। ପ୍ରତିଦିନ କରୋନା ମାମଲା ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମୋଟ୍ ୧୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷରେ ରହିଛି । ଏହି କ୍ରମରେ ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବାପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ଜଣେ ଅଧିକାରୀଙ୍କ କହିବାନୁସାରେ, ତେଲେଙ୍ଗାନାର ମୂଳ ବାସିନ୍ଦା ଥିବା ମୃତ ଦମ୍ପତି ମହାରାଷ୍ଟ୍ରର ନାନ୍ଦେଦ ସହରଠାରୁ ୪୦ କିଲୋମିଟର ଦୂର ଲୋହରରେ ବସବାସ କରୁଥିଲେ। କରୋନାରେ ଆକ୍ରାନ୍ତ ହେବାପରେ ସ୍ବାମୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଚାଲିଥିବା ସମୟରେ ଏପ୍ରିଲ ୧୩ରେ ତାଙ୍କର ମୃତ୍ୟୁ ହୋଇଥିଲା।
ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀ ଏତେ ଭାଙ୍ଗି ପଡ଼ିଥିଲା ଯେ ସେ ନିଜର ପିଲା ଛୁଆଙ୍କ ଭବିଷ୍ୟତ କଥା ଚିନ୍ତା କରି ନ ଥିଲେ। ଆଉ ମାନସିକ ଭାରସାମ୍ୟ ହରାଇ ସେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ସୁନେଗାଓଁରେ ଥିବା ଏକ ଛୋଟିଆ ପୋଲରୁ ଡେଇଁ ଆତ୍ମହତ୍ୟା କରିଥିଲା। ଆଉ ପଛେ ପଛେ ମା’ ଡେଇଁ ପଡ଼ିବା ଦେଖି ତିନି ବର୍ଷର ପୁଅ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲା। ଫଳରେ ପୁଅର ମୃତ୍ୟୁ ହୋଇଥିଲା। ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। ଏବେ ଦମ୍ପତିଙ୍କର ଆଉ ଜଣେ ପୁଅ ଏବଂ ଝିଅ ବାପା ଓ ମା’ଙ୍କୁ ନପାଇ ଅଖିଆଅପିଆ ଦିନରାତି କାନ୍ଦୁଛନ୍ତି।