ଚାଷଜମିରୁ ଆଳୁ ଖୋଳୁଖୋଳୁ ସୁନା ମୁଦ୍ରା ପାଇଲେ ମହିଳା

ନୂଆଦିଲ୍ଲୀ: ବକ୍ସର ସୋନବର୍ସା ପୁଲିସ ଷ୍ଟେସନ ଅଞ୍ଚଳର ଗିର୍ଧର ବାରାଓ ଗ୍ରାମରେ ଜଣେ ମହିଳା ଆଳୁ କ୍ଷେତରେ କାମ କରୁଥିବାବେଳେ ବହୁ ପୁରାତନ ସୁନା ମୁଦ୍ରା ପାଇଥିବା ଘଟଣା ସାମ୍ନାକୁୁ ଆସିଛି।

ସୂଚନା ଅନୁଯାୟୀ, ମହିଳା ଜଣକ କ୍ଷେତରେ କାମ କରୁଥିଲେ। ଏହି ସମୟରେ ସେ ପ୍ରଥମେ ଗୋଟିଏ ସୁନା ମୁଦ୍ରା ପାଇଥିଲେ। ଗୋଟିଏ ସୁନା ମୁଦ୍ରା ଦେଖି ସେ କ୍ଷେତକୁ ଆଉ ଟିକେ ଖୋଳିବାକୁ ଲାଗିଥିଲେ। ସେଥିରୁ ସେ ୨ଟି ସୁନା ମୁଦ୍ରା ପାଇଥିଲେ। ଏହି ଖବର ଗାଁରେ ନିଆଁ ଭଳି ଖେଳି ଯାଇଥିଲା। ଏହା ପରେ ଗ୍ରାମବାସୀ ଉକ୍ତ  ଚାଷଜମିକୁ ଆସି ଖୋଳିବା ଆରମ୍ଭ କରିଥିଲେ। ଏହି ସମୟରେ ଆଉ ଏକ ସୁନା ମୁଦ୍ରା ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସୁନା ମୁଦ୍ରାଗୁଡ଼ିକୁ ଜବତ କରିଛି।

ଏଥିସହିତ ଯେଉଁସ୍ଥାନରୁ ସୁନା ମୁଦ୍ରା ମିଳିଥିଲା ସେ ସ୍ଥାନକୁ ପୁଲିସ ବ୍ୟାରିକେଡ ଦ୍ବାରା ଘେରଉ କରି ଦେଇଛି। ଜମିରୁ ପ୍ରାଚୀନ ସୁନା ମୁଦ୍ରା ମିଳିବାର ରହସ୍ୟ କ’ଣ ତାହା ଅନୁସନ୍ଧାନ କରାଯାଉଛି।

ସୁନା ମୁଦ୍ରା ମିଳିଥିବା ଜମି ଅନେକ ବର୍ଷ ହେବ ପଡ଼ିଆ ପଡ଼ିଥିଲା। ଗ୍ରାମର ଜଣେ ବ୍ୟକ୍ତି ଏଥର ଏହି ଜମିରେ ଆଳୁ ଚାଷ କରିଥିଲେ। ଗାଁର ମହିଳାମାନେ ଆଳୁ ଅମଳ ପାଇଁ କ୍ଷେତରେ କାମ କରୁଥିଲେ | ଏହି ସମୟରେ ଜଣେ ମହିଳା  ଆଳୁ ଅମଳ ସମୟରେ ଏକ ସୁନା ମୁଦ୍ରା ପାଇଥିଲେ।

ସମ୍ବନ୍ଧିତ ଖବର