ମୁଜାଫରପୁର ଷ୍ଟେସନ୍‌ରେ ଛାତିଥରା ଚିତ୍ର : ମା’ ତୁ ଉଠିବୁ ନାହିଁ କି?

ମୁଜାଫରପୁର : କୋଭିଡ-୧୯ ଲକ୍‌ଡାଉନ୍‌ ‌ଯୋଗୁଁ ସମଗ୍ର ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଲକ୍‌ଡାଉନ୍‌ ଯୋଗୁଁ ଏବେ ବିଭିନ୍ନ ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ପ୍ରବାସୀ ଶ୍ରମିକ। ମାତ୍ର ଯାନବାହନ କଟକଣା ଯୋଗୁଁ ଶ୍ରମିକମାନେ ପାଦରେ ଚାଲିଚାଲି ଘରମୁହାଁ ହେଉଛନ୍ତି। ଚାଲୁଚାଲୁ କିଏ କେଉଁଠି ଟଳିପଡୁଛି, ତାହାର ହିସାବ କେହି ରଖୁନି। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ରେଳଷ୍ଟେସନରେ। ପ୍ଲାଟଫର୍ମରେ ଜଣେ ମହିଳା ପ୍ରବାସୀ ଶ୍ରମିକ ମରି ପଡ଼ିଥିବା ବେଳେ ତାଙ୍କ ନିକଟରେ ବର୍ଷକର ପୁଅଟି ଖେଳୁଥିବାର ଦୃଶ୍ୟ ଛାତିକୁ ଥରାଇ ଦେଇଛି। ମା’ ମରି ଯାଇଛି ବୋଲି ଶିଶୁଟି ଜାଣି ନପାରି ମା’କୁ ଉଠାଇବାକୁ ଚେଷ୍ଟା କରୁଛି। ମା’ର ଶାଢ଼ିକୁ ଟାଣି ଶିଶୁପୁତ୍ରଟି ମା’କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଛାତିଥରା ଭିଡିଓ ଦେଶର ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯାତନାର ଚିତ୍ରକୁ ଉନ୍ମୋଚିତ କରୁଛି।

Navbharat Times

ରେଳଷ୍ଟେସନରେ ମା’ର ଶବ ପଡ଼ି ରହିଥିବାବେଳେ ଶିଶୁପୁତ୍ରଟି ମା’ର ଶାଢିକୁ ଟାଣି ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ପ୍ରଚ୍ଛଦପଟରେ ରେଳଷ୍ଟେସନର ଉଦ୍‌ଘୋଷଣା ପରିବେଶକୁ କରୁଣ କରିଦେଉଛି। ଏହି ମହିଳା ପ୍ରବାସୀ ଶ୍ରମିକ ଜଣକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଅହମ୍ମଦାବାଦରୁ ବିହାରର କାଟିହାରକୁ ଫେରୁଥିଲେ। ମାତ୍ର ଗତ ୨୫ ତାରିଖରେ ଟ୍ରେନ୍‌ରେ ଉକ୍ତ ମହିଳା ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଗତକାଲିଠାରୁ ମୁଜାଫରପୁର ଷ୍ଟେସନରେ ଏହି ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖାଯାଇଥିଲା।

ଲକ୍‌ଡାଉନ୍‌ ପାଇଁ କାମ ହରାଇଥିବା ଅନେକ ଶ୍ରମିକଙ୍କର ରାସ୍ତା ଦୁର୍ଘଟଣା, ଖାଦ୍ୟାଭାବ, ପ୍ରବଳ ଗ୍ରୀଷ୍ମପ୍ରକୋପ, ଟ୍ରେନ୍‌ରେ ଦଳାଚକଟା ଯୋଗୁଁ ମୃତ୍ୟୁ ଘଟୁଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରୁ ନଥିବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି। ପ୍ରବାସୀ ଶ୍ରମିକମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟ ସରକାରମାନେ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ମୁଜାଫରପୁର ଷ୍ଟେସନରେ ମରି ପଡ଼ିଥିବା ମହିଳା ପ୍ରବାସୀ ଶ୍ରମିକଙ୍କ ଶବ ନିକଟରେ ଶିଶୁପୁତ୍ର ନିଜ ମା’କୁ ଉଠାଇବାର ଆକୁଳ ପ୍ରୟାସର ଭାଇରାଲ ଭିଡିଓ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ବାସ୍ତବ ଚିତ୍ରକୁ ପ୍ରଘଟ କରିଛି।

ସମ୍ବନ୍ଧିତ ଖବର