ପୁଣି ଅଡ଼ୁଆରେ ମୁଖ୍ୟମନ୍ତ୍ରୀ ଯୋଗୀ; ଦୁଷ୍କର୍ମ ପୀଡ଼ିତା ପତ୍ନୀ ଓ ତାଙ୍କ ସ୍ୱାମୀ ବିଧାନସଭା ସମ୍ମୁଖରେ କଲେ ଆତ୍ମାହୂତି ଉଦ୍ୟମ
ଲକ୍ଷ୍ନୌ (ଉତ୍ତରପ୍ରଦେଶ): ପୁଣି ଏକ ଦୁଷ୍କର୍ମ ମାମଲାର ତଦନ୍ତରେ ଉତ୍ତରପ୍ରଦେଶ ପୁଲିସ୍ କାଳକ୍ଷେପଣ ନୀତି ଗ୍ରହଣ କରୁଥିବା ଅଭିଯୋଗ କରି ଏକ ଦମ୍ପତି ଗତକାଲି (ବୁଧବାର) ସ୍ପଷ୍ଟ ଦିବାଲୋକରେ ସର୍ବ ସମ୍ମୁଖରେ ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଦେବା ପାଇଁ ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ ଉତ୍ତରପ୍ରଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଓ ନାରୀ ନିର୍ଯାତନା ରୋକିବାରେ ଉତ୍ତରପ୍ରଦେଶ ପୁଲିସ୍ର ଅପାରଗତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପୁଣି ଥରେ କାଠଗଡ଼ାରେ ଛିଡ଼ା କରାଇଦେଇଛି।
Lucknow: Woman & her husband attempt self immolation near Vidhan Sabha leveling rape charges against a Samajwadi Party worker.Victim’s husband says,”She was raped in 2015 and no action has been taken yet. He is threatening us to withdraw the case. I request his immediate arrest.” pic.twitter.com/P1Xm3Yo6Qf
— ANI UP (@ANINewsUP) June 13, 2018
ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରି କହିଛନ୍ତି ଯେ ଗତ ୨୦୧୫ରେ ଜନୈକ ସମାଜବାଦୀ ପାର୍ଟି କର୍ମୀଙ୍କ ଦ୍ୱାରା ତାଙ୍କର ପତ୍ନୀ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାପରେ ସେ ଓ ଦୁଷ୍କର୍ମ ପୀଡ଼ିତା ତାଙ୍କ ପତ୍ନୀ ଥାନାକୁ ଯାଇ ସଂପୃକ୍ତ ସମାଜବାଦୀ ପାର୍ଟି କର୍ମୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଗତ କରିଥିଲେ ମଧ୍ୟ ପୁଲିସ୍ ଏଯାବତ୍ ଦୁଷ୍କର୍ମକାରୀ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ସୁରକ୍ଷା ଦେଇଆସୁଛି। ପୁଲିସ୍ ଠାରୁ ସୁରକ୍ଷା ପାଇବା ପରେ ଏବେ ସେ ଆମକୁ ଧମକ ଦେଉଛି ଯେ ମାମଲା ପ୍ରତ୍ୟାହାର କର ନଚେତ୍ ତୁମକୁ ହତ୍ୟା କରିବି। ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଜଣାଇଥିଲେ ମଧ୍ୟ ଆମକୁ ନ୍ୟାୟ ମିଳିପାରି ନାହିଁ। ଏପରସ୍ଥିତିରେ ଆତ୍ମାହୂତି ଦେବା ବ୍ୟତୀତ ଆମ ନିକଟରେ ଅନ୍ୟ ବିକଳ୍ପ କିଛି ନଥିଲା ବୋଲି କହିଛନ୍ତି ଏହି ଦମ୍ପତି।