ନୂଆଦିଲ୍ଲୀ: ଜନୈକା ମହିଳା ଆଇଏଏସ୍‌ ଅଧିକାରୀଙ୍କୁ ଦିଲ୍ଲୀର ଏକ କୋର୍ଟ ପରିସର ମଧ୍ୟରେ ଜନୈକ ଆଇନ୍‌ଜୀବୀ ଓ ତାଙ୍କ ସହଯୋଗୀ ନିର୍ଯାତନା ଦେବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ସଂପ୍ରତି ମିଜୋରାମରେ ଅବସ୍ଥାପିତ ଥିବା ୨୦୧୪ ବ୍ୟାଚ୍‌ର ଏହି ମହିଳା ଆଇଏଏସ୍‌ ଅଧିକାରୀ ଜଣକ ଗତ ଗୁରୁବାର ଦିଲ୍ଲୀର ସକେତ୍‌ କୋର୍ଟ ପରିସରରେ ନିର୍ଯାତନାର ଶିକାର ହୋଇଥିଲେ। ମହିଳା ଆଇଏଏସ୍‌ ଜଣଙ୍କୁ ନିର୍ଯାତନାରୁ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment

publive-image

ଏଘଟଣା ସଂପର୍କରେ ମହିଳା ଆଇଏସ୍‌ ଅଧିକାରୀ ଜଣକ ଦିଲ୍ଲୀର ସକେତ୍‌ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି। କୋର୍ଟ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ପରେ ଘଟଣାରେ ସଂପୃକ୍ତ ଆଇନ୍‌ଜୀବୀ ଓ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ସୁଦ୍ଧା ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ୍‌ ଅଦ୍ୟାବଧି ସମର୍ଥ ହୋଇପାରି ନାହିଁ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ସକେତ କୋର୍ଟରେ ବିଚାରାଧୀନ ଥିବା ଏକ ମାମଲାର ଅଗ୍ରଗତି ସଂପର୍କରେ ସଂପୃକ୍ତା ମହିଳା ଆଇଏଏସ୍‌ ଅଧିକାରୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ କୋର୍ଟ ପରିସରକୁ ଯାଇଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।