ବେଜିଙ୍ଗ୍: ବାପାମାଆଙ୍କଠାରୁ ମାସିକ ୪୭,୦୦୦ ଟଙ୍କା ଦରମା ନେଇ ଘରେ ଝିଅ ହୋଇ ରହିବାକୁ ଚୀନ୍ର ଜଣେ ମହିଳା ଚାକିରି ଛାଡ଼ିଥିବା କଥା ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ରିପୋର୍ଟ କରିଛି।
‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ୍’ ରିପୋର୍ଟ ଅନୁସାରେ, ନିଆନାନ୍ ନାମକ ଉକ୍ତ ୪୦ ବର୍ଷୀୟ ମହିଳା ୧୫ ବର୍ଷ ଧରି ଗୋଟାଏ ନିଉଜ୍ ଏଜେନ୍ସିରେ କାର୍ଯ୍ୟ କରୁଥିଲେ। କିନ୍ତୁ, ସେ କରୁଥିବା କାର୍ଯ୍ୟଧାରେ ଅନେକ ପରିବର୍ତ୍ତନ ଘଟିଛି ବୋଲି ୨୦୨୨ରେ ତାଙ୍କର ମନେହେଲା। ସେ ଜାଣିପାରିଲେ ଯେ, ତାଙ୍କ ଉପରେ ଅଧିକ କାର୍ଯ୍ୟ ଚାପ ପଡ଼ିବା ସହିତ ସବୁବେଳେ କାର୍ଯ୍ୟକ୍ଷେତ୍ରରେ ହାଜର ହେବାକୁ ପଡୁଛି। ଏଭଳି କଠିନ ସମୟରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ତାଙ୍କ ବାପାମାଆ।
ସେମାନେ କହିଲେ, ତୁ ଚାକିରି ଛାଡ଼ି ଦେଉନୁ କାହିଁକି? ତୋ’ର ଆବଶ୍ୟକ ଟଙ୍କାପଇସା କଥା ଆମେ ବୁଝିବୁ।
ବାପାମାଆ ପାଉଥିବା ୧୫୦୦ ଡଲାର୍ ପେନ୍ସନ୍ ଅର୍ଥରୁ ତାଙ୍କୁ ୫୭୦ ଡଲାର୍ (ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୪୭ ହଜାର ଟଙ୍କା) ଦେବେ ବୋଲି କହିବାରୁ ନିଆନାନ୍ ଚାକିରି ଛାଡ଼ି ଘରେ ଝିଅ ହୋଇ ରହିବାକୁ ନିଷ୍ପତ୍ତି ନେଲେ।
/sambad/media/post_attachments/wp-content/uploads/2023/05/ftd-1024x630.jpg)
ଘରେ ଝିଅ ହୋଇ ରହିବା ପରେ ନିଜର ଦୈନନ୍ଦିନ କାର୍ଯ୍ୟ ବାବଦରେ ନିଆନାନ୍ କହିଛନ୍ତି ଯେ, ସକାଳୁ ସେ ବାପାମାଆଙ୍କ ସହିତ ଘଣ୍ଟାଏ ନାଚନ୍ତି। ତା’ପରେ ସେମାନଙ୍କୁ ନେଇ ସଉଦା ଦୋକାନକୁ ଯାଆନ୍ତି। ସନ୍ଧ୍ୟା ବେଳେ ସେ ବାପାଙ୍କ ସହିତ ମିଶି ରାତ୍ରଭୋଜନ ରାନ୍ଧନ୍ତି। ଘରର ଇଲେକ୍ଟ୍ରୋନିକ୍ ସାମଗ୍ରୀ ସବୁ ତଦାରଖ କରନ୍ତି, ଡ୍ରାଇଭର୍ ହୋଇ ଘରର ଗାଡ଼ି ଚଳାନ୍ତି ଏବଂ ପ୍ରତିମାସରେ ଥରେ ପରିବାରକୁ ବାହାରକୁ ବୁଲାଇ ନେଇ ଯାଆନ୍ତି।
ନିଆନାନ୍ କହନ୍ତି, ଘରେ ପିତାମାତାଙ୍କ ସହିତ ରହିଲେ ଶାନ୍ତି ମିଳୁଛି। ‘ଅଧିକ ଅର୍ଥ ରୋଜଗାର ପାଇଁ ବ୍ୟାକୁଳତା’ ହିଁ ତାଙ୍କ ଚାପର ପ୍ରଧାନ କାରଣ ବୋଲି ସେ କହିଛନ୍ତି। ତାଙ୍କ ବାପାମାଆ କହିଛନ୍ତି ଯେ, ବ୍ୟସ୍ତ ହେବାର କାରଣ ନାହିଁ। ଭଲ ଚାକିରି ଖଣ୍ଡେ ପାଇଲେ ଘରୁ ଚାଲିଯିବୁ। ଯଦି ତୋ’ର ଚାକିରି କରିବାକୁ ଇଚ୍ଛା ନାହିଁ ଘରେ ରହି ଆମ ସହିତ ସମୟ କଟା।
ସୂଚନାଯୋଗ୍ୟ, ସମ୍ପ୍ରତି ଚୀନ୍ରେ ଚାକିରି କ୍ଷେତ୍ରରେ ଅଧିକ ପ୍ରତିଦ୍ବନ୍ଦ୍ବିତା ଓ କାର୍ଯ୍ୟକ୍ଷେତ୍ରରେ ଭୀଷଣ ଚାପର ବଶବର୍ତ୍ତୀ ହୋଇ ଯୁବତୀମାନେ ବାପାମାଆଙ୍କ ପାଖରେ ଝିଅ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। କିନ୍ତ, ଏହାଦ୍ବାରା ବାପାମାଆଙ୍କ ଉପରେ ନିର୍ଭରଶୀଳତା ବଢୁଥିବା କଥା ସମାଲୋଚକମାନେ କହୁଛନ୍ତି।