ଥାନାକୁ ଗଲେ ଜନରାଜ୍ୟ ଦିବସ ରିହର୍ସାଲ୍‌ରେ ପଶି ‘ପାକିସ୍ତାନ ଜିନ୍ଦାବାଦ୍‌’ କହିଥିବା ମହିଳା

ନୂଆଦିଲ୍ଲୀ: ରବିବାର ସକାଳେ ଇଣ୍ଡିଆ ଗେଟ୍‌ ନିକଟରେ ଚାଲିଥିବା ଜନରାଜ୍ୟ ଦିବସ ରିହର୍ସାଲ୍‌ ସମୟରେ ଜଣେ ମାନସିକ ବିକାଗସ୍ତ ମହିଳା ଲୁଚି ଲୁଚି କଡ଼ା ନିରାପତ୍ତା ଥିବା ସେ ଅଞ୍ଚଳ ମଧ୍ୟକୁ ପ୍ରବେଶ କରି ‘ପାକିସ୍ତାନ ଜିନ୍ଦାବାଦ୍‌’ ବୋଲି ବଡ଼ପାଟିରେ କହିଥିବା କଥା ପୁଲିସ କହିଛି।

ସୁଲ୍‌ତାନା ନାମ୍ନା ସେ ମହିଳାଙ୍କ ଘର ହାଇଦ୍ରାବାଦର ନିଜାମାବାଦ ଠାରେ। ଇଣ୍ଡିଆ ଗେଟ୍‌ ଠାରେ ଡିୟୁଟିରେ ଥିବା ନିରାପତ୍ତା କର୍ମଚାରୀମାନେ ଉକ୍ତ ମହିଳାଙ୍କୁ ଅମର ଯବାନ ଜ୍ୟୋତି ପରିସରକୁ ପ୍ରବେଶ କରାଇ ଦେଇ ନ ଥିଲେ। ଡିୟୁଟିରେ ଥିବା ସୈନିକମାନଙ୍କୁ ଠେଲାପେଲା କରି ସ୍ମାରକୀ ଚାରିପଟେ ପାଟିତୁଣ୍ଡ କରିଥିଲେ।

ଦିଲ୍ଲୀ ମହିଳା ପୁଲିସ କନେଷ୍ଟବଳ ଉକ୍ତ ମହିଳାଙ୍କୁ ଧରିବା ପରେ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନାକୁ ନେଇ ଥିଲେ।

ତଦନ୍ତରୁ ଜଣାପଡ଼ିଲା, ମୁମ୍ବାଇରେ ଥିବା ଜଣେ ଆତ୍ମୀୟଙ୍କ ଘରକୁ ଯିବା ଲାଗି ମହିଳାଜଣକ ଦୁଇ ଦିନ ତଳେ ନିଜାମାବାଦରୁ ଆସିଥିଲେ ଓ ବାଟ ଭୁଲି ନୂଆଦିଲ୍ଲୀରେ ପହଞ୍ଚି ଯାଇଥିଲେ।

ଡାକ୍ତରୀ ପରୀକ୍ଷା ଲାଗି ସୁଲ୍‌ତାନାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରୁ ତାଙ୍କୁ ଏକ ମହିଳା ଆଶ୍ରୟ ସଦନକୁ ପଠାଯାଇଛି।

ତାଙ୍କ ବିଷୟରେ ତାଙ୍କ ଘରଲୋକଙ୍କୁ ସୂଚନା ଦେବାକୁ ହାଇଦ୍ରାବାଦର ସ୍ଥାନୀୟ ପୁଲିସଙ୍କ ସହ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ ସେମାନେ ସୁଲ୍‌ତାନାଙ୍କ ନାମରେ ନିରୁଦ୍ଦେଶ ଅଭିଯୋଗ ପାଇଛନ୍ତି।

ସେ ମହିଳାଙ୍କ ସମ୍ପର୍କରେ କିଛି ସନ୍ଦେହଜନକ କଥା ନ ଥିବାରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ।

ସମ୍ବନ୍ଧିତ ଖବର