ଆମେରିକାରେ ବରଫଝଡ଼ : କାରରେ ପୋତି ହୋଇ ଜୀବନ ହରାଇଲେ ଯୁବତୀ

ନ୍ୟୁୟର୍କ : ଆମେରିକାରେ ଏବର୍ଷ ଭୟଙ୍କର ହିମଲହର ଦେଖିବାକୁ ମିଳିଛି । ପ୍ରବଳ ବରଫଝଡ଼ ଯୋଗୁଁ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି ।

ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କେତେକ ହୃଦୟ ବିଦାରକ ଖବର ମିଳିଛି । ଲୋକମାନେ ରାସ୍ତାରେ ନିଜର କାର ସହ ବରଫରେ ପୋତି ହୋଇ ମୃତ୍ୟୁବରଣ କରୁଥିବା ପରି ଦୁଃଖଦାୟକ ଖବର ମିଳିବାରେ ଲାଗିଛି ।

 

ନ୍ୟୁୟର୍କର ବଫାଲୋରେ ଏପରି ଏକ ଘଟଣା ସାମନାକୁ ଆସିଛି । ୨୨ ବର୍ଷୀୟ ଆଣ୍ଡେଲ୍ ଟେଲର ନାମକ ଯୁବତୀ ନିଜ ଅଫିସରୁ ଫେରିବା ସମୟରେ ଏକ ଭୀଷଣ ବରଫ ଝଡ଼ର ସମ୍ମୁଖୀନ ହୋଇଥିଲେ । ପ୍ରବଳ ବରଫପାତ ଯୋଗୁଁ ତାଙ୍କ କାର ପୋତି ହୋଇଯାଇଥିଲା ଓ ସେ ବାହାରି ପାରିନଥିଲେ । କାର ଭିତରୁ ଥାଇ ସେ ନିଜ ପରିବାରକୁ ଏକ ଭିଡିଓ ପଠାଇଥିଲେ । ଏହା ପରେ ତାଙ୍କ ପରିବାର ଲୋକ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ ବି ସମୟ ଥାଉ ଥାଉ ତାଙ୍କ ନିକଟକୁ ସହାୟତା ପହଞ୍ଚିପାରିନଥିଲା । ପ୍ରାୟ ୧୮ ଘଣ୍ଟା ପରେ ତାଙ୍କ କାରକୁ ଠାବ କରାଯିବାବେଳେ ତା ଭିତରେ ତାଙ୍କ ମୃତଦେହ ମିଳିଥିଲା । କାର ଭିତରେ ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି ।

ଆସନ୍ତା ଜାନୁଆରିମାସରେ ମୃତା ଟେଲରଙ୍କ ଜନ୍ମଦିବସ ଥିଲା ଓ ସେ ୨୩ ବର୍ଷରେ ପଦାର୍ପଣ କରିଥାନ୍ତେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର