ତାଲିବାନ୍ ମୁଖପାତ୍ରଙ୍କ ସହ ସ୍ମରଣୀୟ ଟିଭି ସାକ୍ଷାତ୍‌କାର ପରେ ଆଫଗାନିସ୍ତାନ୍‌ ଛାଡ଼ି ଚାଲିଗଲେ ୨୪ ବର୍ଷୀୟ ସାମ୍ବାଦିକା

ନୂଆଦିଲ୍ଲୀ: ‘ଟୋଲୋ ନିଉଜ୍’ ପାଇଁ ଦୂରଦର୍ଶନରେ ବରିଷ୍ଠ ତାଲିବାନ୍ ପ୍ରତିନିଧିଙ୍କ ସହ ସାକ୍ଷାତ୍‌କାର ଉପସ୍ଥାପନା କରି ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଥିବା ୨୪ ବର୍ଷୀୟ ସାମ୍ବାଦିକା ବେହେସ୍ତା ଆର୍ଗାନ୍ଦ୍‌ ଆଫଗାନିସ୍ତାନ ଛାଡ଼ି ଚାଲିଯାଇଛନ୍ତି।

‘ଲାଇଭ୍‌ ଟିଭି’ରେ ଏହା ଥିଲା ଜଣେ ମହିଳା ଉପସ୍ଥାପିକାଙ୍କ ସମ୍ମୁଖରେ ପ୍ରଥମ କରି ଜଣେ ତାଲିବାନ୍ ପ୍ରତିନିଧି ବସି ସାକ୍ଷାତ୍‌କାର ଦେବା। ଏହାର କିଛି ଦିନ ପରେ, ସେ ମଲାଲା ୟୁସଫ୍‌ଜାଇଙ୍କ ସହ ସାକ୍ଷାତ୍ କରିଥିଲେ। ଏହା ମଧ୍ୟ ଥିଲା ଆଫଗାନ୍‌ ଚାନେଲ୍‌ରେ ୟୁସଫ୍‌ଜାଇଙ୍କର ପ୍ରଥମ ସାକ୍ଷାତ୍‌କାର।

ଅଗଷ୍ଟ ୧୭ ତାରିଖ ଦିନ ତାଲିବାନ୍ ପ୍ରତିନିଧିଙ୍କ ସହ ସାକ୍ଷାତ୍‌କାରର ପୃଷ୍ଠଭୂମି ବିଷୟରେ କହିବା ବେଳେ ସେ କହିଲେ, ସାକ୍ଷାତ୍‌କାରଟି ଥିଲା ଅତି କଠିନ, କିନ୍ତୁ ଆଫଗାନିସ୍ତାନର ନାରୀମାନଙ୍କ ପାଇଁ ତାହା କରିଥିଲି। ତାଲିବାନ୍‌ ସଦସ୍ୟମାନଙ୍କୁ ସେ କହିଛନ୍ତି, ଆମେ ଆମ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁ। ଆମେ କାମ କରିବାକୁ ଚାହୁଁ। ଆମେ ଚାହୁଁ ଆମେ ସମାଜ ସହ ମିଶି ଚଳିବାକୁ। ଏଇଟା ଆମ ଅଧିକାର। ଯଦି ଆମେ ଘରେ ପଶି ରହୁ କିଂବା ଆମ କାର୍ଯ୍ୟାଳୟକୁ ନ ଯାଉ, ସେମାନେ କହିବେ ନାରୀମାନେ କାମ କରିବାକୁ ଚାହୁଁ ନାହାନ୍ତି।

Image Courtesy of Ub24News

ଜଣେ ସାମ୍ବାଦିକା ଭାବେ ବେହେସ୍ତା ଆର୍ଗାନ୍ଦ୍‌ ତାଙ୍କ କ୍ୟାରିୟର୍‌ର ଶୀର୍ଷରେ ଅବତୀର୍ଣ୍ଣା ହୋଇଥିଲେ। ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସାମ୍ବାଦିକା ହେବାକୁ ତାଙ୍କର ଆଗ୍ରହ ହୋଇଥିଲା। କିନ୍ତୁ, ଦେଶ ତାଲିବାନ୍ ନିୟନ୍ତ୍ରଣକୁ ଆସିବା ପରଠାରୁ ସାମ୍ବାଦିକ ଓ ନାଗରିକମାନେ ସମ୍ମୁଖୀନ ହେଉଥିବା ବିପଦ କଥା ଦର୍ଶାଇ ସେ ଆଫଗାନିସ୍ତା ପରିତ୍ୟାଗ କରି ଚାଲିଯାଇଛନ୍ତି।

‘ସିଏନ୍‌ଏନ୍‌’ରେ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି, ନିୟୁତ ନିୟୁତ ‌ଜନତାଙ୍କ ଭଳି ମୁଁ ଦେଶ ତ୍ୟାଗ କରିବାର କାରଣ ହେଉଛି, ମୁଁ ତାଲିବାନ୍‌ଙ୍କୁ ଡରେ।

କିନ୍ତୁ, ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନ୍‌ ଯାହା କହିଛି ଅର୍ଥାତ୍ ପ୍ରତିଶ୍ରୁତି ଦେଇଛି, ଯଦି ସେମାନେ ତାହା ପାଳନ କରନ୍ତି ଏବଂ ପରିସ୍ଥିତି ସୁଧୁରିଯାଏ, ଓ ମୋ ପ୍ରତି କୌଣସି ବିପଦ ନାହିଁ ଜାଣି ଆପଣାକୁ ସୁରକ୍ଷିତା ମଣେ, ତେବେ ମୁଁ ଫେରିଯାଇ ମୋ ଦେଶ ଓ ଦେଶବାସୀଙ୍କ ପାଇଁ କାମ କରିବି।

ତାଲିବାନ୍ ଶାସନରେ ଆଫଗାନିସ୍ତାନରେ କ’ଣ ଘଟୁଛି ବେହେସ୍ତା ଆର୍ଗାନ୍ଦ୍‌ ତା’ର ପ୍ରତିଫଳନ ବୋଲି ‘ଟୋଲୋ ନିଉଜ୍‌’ର ମାଲିକ ସାଦ୍‌ ମୋହେସେନି କହିଛନ୍ତି। ‘ସିଏନ୍ଏନ୍‌’କୁ ସେ କହିଛନ୍ତି, ଆମର ସୁପରିଚି ସାମ୍ବାଦିକମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଛାଡ଼ି ଚାଲିଗଲେଣି। ତାଙ୍କ ସ୍ଥାନରେ ନୂଆ ଲୋକଙ୍କୁ ରଖି ଆମେ ପାଗଳଙ୍କ ଭଳି କାର୍ଯ୍ୟ କରୁଛୁ। ଆମ ନିକଟରେ ବର୍ତ୍ତମାନ ଦୁଇ ଦୁଇଟା ଆହ୍ବାନ୍‌। ଅସୁରକ୍ଷିତ ମଣୁଥିବା ଲୋକଙ୍କୁ ବିଦାୟ ଦେବୁ ଓ ଅଭିଯାନ ଚାଲୁ ରଖିବୁ।

ସମ୍ବନ୍ଧିତ ଖବର