୨୦୦୦ ଟଙ୍କିଆ ନୋଟ୍‌ ଲାଗି ଦିଲ୍ଲୀ ମେଟ୍ରୋ ଟ୍ରାକ୍‌କୁ ଡେଇଁଲେ ଯୁବତୀ; ଟ୍ରେନ୍‌ ତାଙ୍କ ଉପର ଦେଇ ମାଡ଼ି ଗଲେ ବି ସେ ବଞ୍ଚିଗଲେ

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ୍‌ ଗୋଟାଇ ଆଣିବାକୁ ଜଣେ ୨୬ ବର୍ଷୀୟ ଯୁବତୀ ମଙ୍ଗଳବାର ସକାଳେ ଦ୍ୱାରକା ମୋର୍‌ ମେଟ୍ରୋ ଷ୍ଟେସନ୍‌ରେ ରେଳ ଧାରଣା ଉପରକୁ କୁଦା ମାରିଲେ, ଟ୍ରେନ୍‌ ତାଙ୍କ ଉପର ଦେଇ ମାଡ଼ିଗଲା, ମାତ୍ର ସେ ଅଳ୍ପକେ ବର୍ତ୍ତିଗଲେ।

ରେଳବାଇ ଅଧିକାରୀମାନେ କହନ୍ତି ଯୁବତୀ ଜଣକ ସ୍ଥିର ହୋଇ ଦୁଇ ଟ୍ରାକ୍‌ ମଝିରେ ଶୋଇ ରହିଥିବା ବେଳେ ତାଙ୍କ ଉପର ଦେଇ ଦୁଇଟି ବଗି ଅତିକ୍ରମ କରିଗଲା। ପରେ ପରେ ଟ୍ରେନ୍‌ ଅଟକି ଯିବାରୁ ମହିଳାଜଣକ ନିରାପଦ୍‌ରେ ବାହାରି ଆସିଥିଲେ। ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ତାଙ୍କୁ ଅଳ୍ପ ସମୟ ଲାଗି ଅଟକ ରଖିଥିଲେ। ସେ ଲିଖିତ କ୍ଷମାଯାଚନା କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସିଆଇଏସ୍‌ଏଫ୍‌ ଅଧିକାରୀମାନଙ୍କ କହିବା ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୦: ୩୦ ମିନିଟ୍‌ରେ ଘଟଣାଟି ଘଟିଥିଲା।

ଜଣେ ବରିଷ୍ଠ ସିଆଇଏସ୍‌ଏଫ୍‌ ଅଧିକାରୀ କହନ୍ତି, ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଚେତନା ଶର୍ମା ନାମ୍ନା ସେ ମହିଳା ଯାତ୍ରୀଜଣକ ଟ୍ରାକ୍‌ ଉପରକୁ ଯାଇଥିଲେ। ମେଟ୍ରୋ ଟ୍ରେନ୍‌ ମାଡ଼ି ଆସୁଥିବା ଦେଖି ସେ ଜୀବନ ବଞ୍ଚାଇବା ଲାଗି ଦୁଇ ଟ୍ରାକ୍‌ ମଝିରେ ଶୋଇ ପଡ଼ିଥିଲେ। ଲୋକେ ଚିତ୍କାର କରିବାରୁ ଡ୍ରାଇଭର୍‌ ଟ୍ରେନ୍‌ ଅଟକାଇ ଥିଲେ। ସିଆଇଏସ୍‌ଏଫ୍‌ ସିଫ୍‌ଟ୍‌ ଇନ୍‌-ଚାର୍ଜ ଏବଂ ଷ୍ଟେସନ୍‌ କଣ୍ଟ୍ରୋଲର୍‌ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

ଲିଖିତ କ୍ଷମାଯାଚନା ଦେବା ପରେ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାଥିରେ ଯିବାକୁ ଅନୁମତି ମିଳିଥିଲା ବୋଲି ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧିତ ଖବର