ହାଇଦ୍ରାବାଦ: ନିଜକୁ ତେଲୁଗୁ ଚଳଚ୍ଚିତ୍ରର ଜନୈକା କନିଷ୍ଠ କଳାକାର ବୋଲି ଦାବି କରୁଥିବା ଜନୈକା ୨୮ ବର୍ଷୀୟା ମହିଳା ସୋମବାର ଏଠାରେ ଏକ ଚଳଚ୍ଚିତ୍ର ପ୍ରଡକ୍ସନ୍ କମ୍ପାନିର କାର୍ଯ୍ୟାଳୟ ସମ୍ମୁଖରେ ଏକ ‘ନଗ୍ନ’ ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା ସଂପର୍କରେ ପୁଲିସ କହିଛି ଯେ ମହିଳା ଜଣକ ନିଜର ପିନ୍ଧା ପୋଷାକକୁ ଖୋଲି ଜୁବିଲି ହିଲ୍ସରେ ଥିବା ଏକ ପ୍ରଡକ୍ସନ୍ ହାଉସ୍ ସମ୍ମୁଖରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ମହିଳା ପୁଲିସ କର୍ମଚାରୀମାନେ ଏ ବିଷୟରେ ସୂଚନା ପାଇବା ପରେ ତାଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ନେଇ ଆସିଥିଲେ।
ଜୁବିଲି ହିଲ୍ସ ପୁଲିସ ଷ୍ଟେସନର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସଂପୃକ୍ତା ମହିଳା ଜଣକ ଗତ କିଛି ବର୍ଷ ମଧ୍ୟରେ ତିନି ଥର ଏପରି କାର୍ଯ୍ୟ କରିସାରିଛନ୍ତି। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଥିବା ଏହି ମହିଳା ନିଜକୁ ଜଣେ କନିଷ୍ଠ କଳାକାର ବୋଲି ଦାବି କରିଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ତାଙ୍କ ବିରୋଧର ଉଦ୍ଦେଶ୍ୟ ବିଷୟରେ ପଚରା ଯିବାରୁ ସେ ବିଭିନ୍ନ ପ୍ରକାରର କଥା କହୁଥିବା ଅଧିକାରୀ ଜଣକ କହିଛନ୍ତି।
ବେଳେବେଳେ ମହିଳା ଜଣକ କହୁଛନ୍ତିି ଯେ ସେ ଚଳଚ୍ଚିତ୍ରରେ ଭୂମିକା ଖୋଜିବା ପାଇଁ ଏପରି ବିରୋଧ ପ୍ରଦର୍ଶନ କରିଛନ୍ତି। ଆଉ କେତେବେଳେ ସେ ଅଭିଯୋଗ କରୁଛନ୍ତି ଯେ ଚଳଚ୍ଚିତ୍ର ପ୍ରଡକ୍ସନ୍ କମ୍ପାନିର କେହି ଜଣେ ତାଙ୍କୁ ଅସଦାଚରଣ କରିଥିଲେ ଏବଂ ସେ ଏହା ମଧ୍ୟ ଦାବି କରୁଛନ୍ତି ଯେ କେହି ଜଣେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରେ ତାଙ୍କୁ ପ୍ରତାରଣା କରିଥିଲେ ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।
ତେବେ, ମହିଳାଙ୍କ ବିରୋଧର କିଛି କଥିତ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା ବେଳେ
ମହିଳାଙ୍କୁ ସରକାରୀ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ଅନୁରୋଧ କରି ତାଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଛି ବୋଲି ଅଧିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି।