ମହିଳାଙ୍କୁ ଭୁଲ୍ ଗ୍ରୁପ୍ର ରକ୍ତ ଦେଇ କୋଲକାତାର ଖ୍ୟାତନାମା ଘରୋଇ ହସ୍ପିଟାଲ ହରଡ଼ଘଣାରେ; ନଷ୍ଟ ହୋଇଗଲା ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ
କୋଲକାତା: ଏକ ଅସ୍ତ୍ରୋପଚାର ସମୟରେ ଜନୈକା ମହିଳା ରୋଗୀଙ୍କୁ ଏକ ଭୁଲ ଗ୍ରୁପ୍ର ରକ୍ତ ଦେଇ ଏବେ ହରଡ଼ଘଣାରେ ପଡ଼ିଛି କୋଲକାତାର ଏକ ପ୍ରମୁଖ ଖ୍ୟାତନାମା ଘରୋଇ ହସ୍ପିଟାଲ। ମହିଳା ରୋଗୀଙ୍କର ରକ୍ତ ଗ୍ରୁପ୍ ଏ+ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଅବହେଳା କ୍ରମେ ଏବି+ ରକ୍ତ ଦେଇଥିଲେ। ଫଳରେ ମହିଳା ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ତାଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଏତାଦୃଶ ଅବହେଳାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣା ବିରୋଧରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ବର୍ତ୍ତମାନ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୋଲକତା ବିଧାନ ନଗରର ବାସିନ୍ଦା ଅଭିଜିତଙ୍କ ପତ୍ନୀ ବୈଶାଖୀ (୩୧) ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକତାରେ ଥିବା କଲମ୍ବିଆ ଏସିଆ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ, ସେଠାରେ ଡାକ୍ତରମାନେ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ତାଙ୍କ ପେଟରେ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତରମାନେ କରିଥିବା ପରୀକ୍ଷାରେ ବୈଶାଖୀଙ୍କର ରକ୍ତଗ୍ରୁପ୍ ଏ+ ଥିବା ଜଣାପଡ଼ିଥିଲା। ଏବଂ ଅସ୍ତ୍ରୋପଚାର ପୂର୍ବରୁ ବେଶାଖୀଙ୍କର ସ୍ୱାମୀ ଅଭିଜିତ ମଧ୍ୟ ଏ+ ରକ୍ତ ସଂଗ୍ରହ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ।
ତେବେ, ଗତକାଲି (ମଙ୍ଗଳବାର) ବୈଶାଖୀଙ୍କର ଅସ୍ତ୍ରୋପଚାର କାଳରେ ତାଙ୍କର ରକ୍ତର ଆବଶ୍ୟକତା ପଡ଼ିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରି ଏ+ ରକ୍ତ ବଦଳରେ ଏବି+ ରକ୍ତ ଦେଇଦେଇ ଥିଲେ। ଏହି ଘଟଣାରେ ବୈଶାଖୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବା ସହ ତାଙ୍କ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମୀ ହୋଇ ପଡ଼ିଥିଲା। ପରେ ତାଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ମଧ୍ୟ ରଖିବାକୁ ପଡ଼ିଥିଲା। ତେବେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏତାଦୃଶ ଅବହେଳା ସଂପର୍କରେ ଜାଣିବା ପରେ ଘଟଣା ସଂପର୍କରେ ବିଧାନ ନଗର ପୁଲିସ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏବେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛିି।