ଟ୍ରେନ୍‌ ‘ୱାଶରୁମ୍‌’ରୁ ମିଳିଲା ମହିଳା ଯାତ୍ରୀଙ୍କ ମୃତଦେହ; ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ରବିବାର ଅପରାହ୍ନରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଡାହାନୁ ରୋଡ୍‌ ରେଳ ଷ୍ଟେସନରେ ସ୍ୱରାଜ ଏକ୍ସପ୍ରେସ୍‌ ଟ୍ରେନ୍‌ର ‘ୱାଶରୁମ୍‌’ ଭିତରୁ ଜଣେ ୨୦ ବର୍ଷୀୟା ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମହିଳା ଜଣକ ସ୍ୱରାଜ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ। ଟ୍ରେନ୍‌ଟି ବାନ୍ଦ୍ରା ଟ୍ରେନ୍‌ ଟର୍ମିନସରୁ ବାହାରି ଜାମ୍ମୁ ତାୱି ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିବା ପରେ ମହିଳା ଜଣକ ୱାଶରୁମକୁ ଯାଇଥିଲେ। କିନ୍ତୁ ପରେ ସେ ଦୀର୍ଘ ସମୟ ଧରି ତାଙ୍କ ଆସନକୁ ଫେରି ନଥିଲେ। ଅନ୍ୟପକ୍ଷରେ ଓ୍ଵାଶରୁମ୍‌ରୁ କୌଣସି ସ୍ୱରଶବ୍ଦ ମଧ୍ୟ ଶୁଣିବାକୁ ମିଳି ନଥିଲା। ସହଯାତ୍ରୀମାନେ ଶୌଚାଳୟ କବାଟକୁ ବାଡ଼େଇଥିଲେ ମଧ୍ୟ ଭିତରୁ କୌଣସି ପ୍ରତ୍ୟୁତ୍ତର ଆସି ନଥିଲା। ପରେ ଏ ସଂପର୍କରେ ସହଯାତ୍ରୀମାନେ ଟ୍ରେନ୍‌ ଅଧିକରୀମାନଙ୍କୁ ଜଣାଇଥିଲେ। ପରେ, ୱାଶରୁମର କବାଟ ଖୋଲା ଯାଇଥିଲା ଏବଂ ମହିଳାଙ୍କ ମୃତଦେହ ଓ୍ଵାଶରୁମ ଭିତରୁ ମିଳିଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ଏହି ଅଘଟଣ ଘଟିଥିବା ଏସ ୪ କୋଚର ଯାତ୍ରୀମାନେ କହିଛନ୍ତି ଯେ ମହିଳା ଜଣକ ୱାଶରୁମକୁ ଯାଇଥିଲେ ଏବଂ ଦୀର୍ଘ ସମୟ ଧରି ତାଙ୍କ ଆସନକୁ ଫେରି ନଥିଲେ। ଭିତରୁ କୌଣସି ପ୍ରତିକ୍ରିୟା ନଶୁଣି ସେମାନେ କବାଟ ବାଡେଇଥିଲେ। ପରେ, ଟିକେଟ୍‌ ଚେକର୍‌ ଏବଂ ଯାତ୍ରୀମାନେ ୱାଶରୁମ୍‌ର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ଭିତରୁ ବନ୍ଦ ଥିବାରୁ ଏହାକୁ ଖୋଲିବାରେ ସେମାନେ ଅସମର୍ଥ ହୋଇଥିଲେ।

ଏହା ପରେ, ଟ୍ରେନ୍‌କୁ ଡାହାନୁ ରୋଡ୍‌ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଯାହା ପରେ ଟ୍ରେନ୍‌ କର୍ମଚାରୀମାନେ ଓ୍ଵାଶରୁମ କବାଟର ଲ୍ୟାଚ୍‌ ଖୋଲି ଦେଖିବାକୁ ପାଇଥିଲେ ଯେ ମହିଳାଙ୍କ ବେକରେ ଏକ କପଡା ବାନ୍ଧା ହୋଇଥିବା ବେଳେ ତଳେ ଚଟାଣରେ ସେ ନିଶ୍ଚଳ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର