ଚେନ୍ନାଇ: ତାମିଲ୍ନାଡୁର ସାଲେମ୍ ଜିଲ୍ଲାରେ ନାବାଳକ କ୍ଲାସ୍ମେଟ୍ଙ୍କୁ ବିବାହ କରିଥିବା ଅଭିଯୋଗରେ ଜଣେ ୨୦ ବର୍ଷୀୟ ଅନ୍ତଃସତ୍ତ୍ବା କଲେଜ ଛାତ୍ରୀ ଗିରଫ ହୋଇଥିବା କଥା ପୁଲିସ କହିଛି।
ଏପ୍ରିଲ୍ ମାସରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ବେଳେ ସେ ନାବାଳକଟି ବରିଷ୍ଠ ଛାତ୍ରୀଙ୍କ ସହିତ ବାସ କରୁଥିବା ଜଣାପଡ଼ିଥିଲା। ନାବାଳକଙ୍କୁ ଅଦାଲତରେ ହାଜର କରିବା ଲାଗି ତାଙ୍କର ପିତାମାତା ଅଦାଲତରେ ପିଟିସନ୍ ଦାଏର କରିବା ପରେ ପୁଲିସ ଅନୁସନ୍ଧାନ କରି ତାଙ୍କୁ (ନାବଳକ) ଧରିଛି।
ଡାକ୍ତରୀ ମାଇନା ପାଇଁ ଉକ୍ତ ଯୁବତୀଙ୍କୁ ପଠାଯିବ ଏବଂ ତାଙ୍କ ନାଁରେ ‘ପୋକ୍ସୋ’ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି।
ସାଲେମ୍ ନଗରୀର ପୁଲିସ କମିସନର୍ ନାଜ୍ମୁଲ୍ ହୋଦା କହିଛନ୍ତି, ତରୁଣୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି।
ଅନ୍ୟ ଏକ ଘଟଣାରେ ରାଜ୍ୟରେ କୁଡ୍ଡାଲୋର୍ରେ ଜଣେ ୧୬ ବର୍ଷୀୟ ବାଳିକାକୁ ବିବାହ କରିଥିବା ଜଣେ ୧୭ ବର୍ଷିୟ ବାଳକକୁ ହାଜତକୁ ନିଆଯାଇଛି। ବସ୍ଷ୍ଟାଣ୍ଡ୍ରେ ଉକ୍ତ ବାଳକ ଝିଅଟି ବେକରେ ମଙ୍ଗଳସୂତ୍ର ପିନ୍ଧାଉଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ‘ପୋକ୍ସୋ’ ଆଇନ ଅନୁଯାୟୀ ବାଳକଟିକୁ ସୁଧାର ଗୃହକୁ ପଠାଇ ଦେଇଛି।
ବାଳକ ସହିତ ଦୈହିକ ସମ୍ପର୍କ ଥିବାରୁ ସେ ବାଳିକାର ଡାକ୍ତରୀ ମାଇନା କରାଯିବ ବୋଲି ପୁଲିସ କହିଛି।