ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଦାଦାଗିରି କଲେ ମହିଳା। ଭୁଲ୍ କରିବା ସତ୍ତ୍ବେ କ୍ଷମା ନମାଗି ଗିରଫ କରାଇ ଦେବାର ଧମକ ଦେଲେ। "ମୋ ପୁଅ ଆଇପିଏସ୍, ତୁମେ ମାନେ ମୋର କିଛି କରିପାରିବ ନାହିଁ" ବୋଲି ମହିଳାଜଣଙ୍କ କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ମହିଳାଜଣଙ୍କ ଚଳାଉଥିବା ସ୍କୁଟି ଏକ କାର୍ରେ ଘସି ହୋଇଯିବା ପରେ ଏହି ଝଗଡ଼ା ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ଗାଡ଼ି ଘସି ହେବା ପରେ କାର୍ ଚଳାଉଥିବା ଯୁବକ କ୍ଷତିପୂରଣ ମାଗିଥିଲେ। ଏହା ଶୁଣି ରାଗିଯାଇଥିଲେ ମହିଳା। ତା’ପରେ ଯାହା ଘଟିଥିଲା, ତାହା କ୍ୟାମେରାରେ କଏଦ ହେବା ସହ ଏବେ ଭାଇରାଲ ହେଉଛି।
ଭିଡିଓରେ ମହିଳାଜଣଙ୍କ ଗାଳିଗୁଲଜ କରୁଥିବା ଏବଂ ନିଜକୁ ଜଣେ ଆଇପିଏସ ଅଧିକାରୀଙ୍କ ମା’ ବୋଲି ଦାବି କରୁଥିବାର ଦେଖିବାକୁ ମିଳୁଛି। ଏହା ସହିତ ଧକ୍କା ଦେଇଥିବା କାରର ଯୁବକମାନଙ୍କୁ ଗିରଫ କରାଇ ଦେବାକୁ ଚେତାବନୀ ଦେଉଥିବା ଦେଖାଯାଇଛି। ଭିଡିଓଟି ଏବେ ଭାଇରାଲ ହୋଇଥିବା ବେଳେ ଲୋକେ ମହିଳାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛି।
ଇନଷ୍ଟାରେ ଭାଇରାଲ ହୋଇଥିବା ଭିଡିଓରେ ମହିଳାଜଣଙ୍କ କହୁଛନ୍ତି, "ତୁମେ ଜାଣିଛ ମୁଁ କିଏ? ମୁଁ ଆଇପିଏସ ଅଫିସରର ମାଆ? ମୁଁ ତୁମ ସମସ୍ତଙ୍କୁ ଜଣ ଜଣ କରି ଜେଲ୍ରେ ଭର୍ତ୍ତି କରିଦେବି। ମୁଁ ମୋ ପୁଅକୁ ଏବେ କଲ୍ କରିବି କି? ମୋ ପୁଅ କଠିନ ପରିଶ୍ରମ କରିଛି। ମୋ ପୁଅ ତୁମମାନଙ୍କ ଭଳି ଲଫଙ୍ଗାଗିରି କରୁନଥିଲା। ପରିଶ୍ରମ କରି ସେ ଆଜି ଆଇପିଏସ ହୋଇଛି। ତୁମେମାନେ ତା’ଭଳି ହୋଇପାରିବ ନାହିଁ। "
ଏହା ଶୁଣି ଭିଡିଓ କରୁଥିବା ଯୁବକଜଣଙ୍କ କହିଥିଲେ, "ଆମେ ମଧ୍ୟ ଆଇପିଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛୁ"। ଏହା ଶୁଣି ମହିଳାଜଣଙ୍କ କହିଥିଲେ, "ତୁମେ ପରୀକ୍ଷା ଦେଇଚାଲିଥିବ। କିନ୍ତୁ କେବେ ପାସ୍ କରିପାରିବ ନାହିଁ। ତୁମେ କେବେ ସଫଳ ହେବ ନାହିଁ। ତୁମେ କିଛି ହାସଲ କରିପାରିବ ନାହିଁ।"
Woman Says ‘IPS Ki Maa Hu’