ବରେଲି (ଉତ୍ତରପ୍ରଦେଶ) : ଟଙ୍କା ଅଭାବରୁ ସ୍ୱାମୀଙ୍କର ଚିକିତ୍ସା ହୋଇପାରୁ ନଥିବାରୁ ନିଜର ମମତାକୁ ବଳି ଦେଇଛି ମା । ଅନିଚ୍ଛା ସତ୍ୱେ ନିଜର ନବଜାତ ଶିଶୁକୁ ବିକ୍ରି କରିବାକୁ ବାଧ୍ୟ ହୋଇଛି ମା’ । ଏହି ଘଟଣାଟି ବରେଲିରେ ଘଟିଥିବା ବେଳେ ସଞ୍ଜୁ ଦେବୀ ନାମକ ମହିଳା ତାଙ୍କ ଶିଶୁପୁତ୍ରକୁ ୪୨,୦୦୦ଟଙ୍କାରେ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ,ସଞ୍ଜୁ ଦେବୀଙ୍କ ସ୍ୱାମୀ ହରସ୍ୱରୁପ ମୌର୍ଯ୍ୟ ତିନି ମାସ ପୂର୍ବରୁ ଏକ କନଷ୍ଟ୍ରକ୍ସନ୍ ସାଇଟ୍ରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ଟଙ୍କା ଅଭାବ ଥିବାରୁ ତାଙ୍କର ଚିକିତ୍ସା ଠିକ୍ ଭାବରେ ହୋଇ ପାରୁ ନଥିଲା । ଚିକିତ୍ସା ପାଇଁ ଋଣ ଆଣିଥିଲେ ମଧ୍ୟ ତାହା କମ ପଡ଼ିଥିଲା । ସେଥିପାଇଁ ବାଧ୍ୟ ହୋଇ ସେ ନିଜର ଶିଶୁ ପୁତ୍ରକୁ ବିକ୍ରି କରିଥିଲେ ।
ଅନ୍ୟ ପକ୍ଷରେ ସୋମବାର ଏହି ଖବର ଆଞ୍ଚଳିକ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ସ୍ଥାନୀୟ ଅଧିକାରୀମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି । “ଆମେ ମୌର୍ଯ୍ୟଙ୍କର ଚିକିତ୍ସା ପାଇଁ ସବୁ ପ୍ରକାରର ସାହାଯ୍ୟ କରିବୁ । ଏହା ସହ ପିଲା ନେଇଥିବା ଦମ୍ପତିଙ୍କୁ ଖୋଜି ତାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିବୁ” ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।