ଛୁଟି କଟାଇବା ପାଇଁ ବିଦେଶ ବୁଲି ଯାଇଥିଲେ ମହିଳା, ଘରକୁ ଫେରିବା ପରେ ତାଙ୍କ ଘର ଆଉ ତାଙ୍କ ଘର ହୋଇ ନଥିଲା

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଜଣେ ୪୫ବର୍ଷିୟ ମହିଳା ଛୁଟି କଟାଇବା ପାଇଁ ବିଦେଶ ବୁଲିବାକୁ ଯାଇଥିଲେ । କିନ୍ତୁ ଘରକୁ ଫେରିବା ପରେ ତାଙ୍କ ଘର ଆଉ ତାଙ୍କ ଘର ହୋଇ ନଥିଲା । ଘରର ଅବସ୍ଥା ଦେଖି ମହିଳାଙ୍କ ହୋସ ଉଡ଼ି ଯାଇଥିଲା । ମହିଳା ଜଣଙ୍କ ଘର ବନ୍ଦ କରି କିଛି ଦିନ ପାଇଁ ବୁଲି ଯାଇଥିବା ବେଳେ କିଛି ଲୋକ ତାଙ୍କ ଘର ଉପରେ କବ୍‌ଜା କରି ଗଞ୍ଜେଇ ବେପାର ଆରମ୍ଭ କରି ଦେଇଥିଲେ । ଏବେ ମହିଳାଙ୍କ ପାଖରେ ରହିବା ପାଇଁ କୌଣସି ଘର ନଥିବା ଜଣା ପଡ଼ିଛି । ସୂଚନା ମୁତାବକ, ତାନ୍ୟା ୨୦୧୭ରେ ଏକ କୋରୀୟ ପରିବାରକୁ ତାଙ୍କ ଘରେ ଭଡ଼ାରେ ରହିବା ପାଇଁ ଦେଇଥିଲେ ।

Stoke Sentinel

ଏହା ପରେ ସେ ତାଙ୍କ ପ୍ରେମିକଙ୍କ ସହ ପୂରା ଏସିଆ ବୁଲିବା ପାଇଁ ବହାରିଥିଲେ । କିଛି ଦିନ ପରେ ପ୍ରେମିକଙ୍କ ମା’ ଫୋନ ଯୋଗେ ତାଙ୍କ ଘର ବାହାରେ ଏକ ପାଇପ୍‌ ବାହାରିଥିବା ସହ କିଛି ଅନୈତିକ କାମ ଚାଲିଥିବା ତାନ୍ୟାଙ୍କୁ କହିଥିଲେ । ତାନ୍ୟା ବୁଲିବା ଅଧା ଛାଡ଼ି ଘରେ ପହଞ୍ଚିବା ପରେ ପ୍ରକୃତ କଥା ଜାଣି ପାରିଥିଲେ । ଘରେ ପହଞ୍ଚିବା ପରେ ଘରର ସବୁ ରୁମ୍‌ରେ ଗଞ୍ଜେଇ ଗଛ ଲଗାଯାଇଥିବା ଦେଖିଥିଲେ । କିଛି ଦୁବୃର୍ତ୍ତ ତାଙ୍କ ଘରକୁ କବ୍‌ଜା କରି ଗଞ୍ଜେଇ ବେପାର ଆରମ୍ଭ କରି ଦେଇଥିଲେ । ଏହା ସହ ଘର ମଧ୍ୟକୁ ବାହାର ପବନ ଆସିବ ବୋଲି ଘର ଭିତରୁ ବାହାରକୁ ପାଇପ୍‌ ବାହାର କରାଯାଇଥିଲା । ପୁଲିସକୁ ଖବର ଦେବା ପରେ ପୁଲିସ ଗଞ୍ଜେଇ ଜବତ କରି ଅପରାଧିମାନଙ୍କୁ ଗିରଫ କରିଥିଲେ ମଧ୍ୟ ତାନ୍ୟାଙ୍କ ଘର ଆଉ ରହିବା ଉପଯୋଗୀ ହୋଇ ନଥିଲା ।

ସମ୍ବନ୍ଧିତ ଖବର