ମହିଳାଙ୍କୁ କର୍ଣ୍ଣାଟକ ମନ୍ତ୍ରୀଙ୍କ ଚାପୁଡ଼ା: ବିରୋଧୀ ଦଳଙ୍କ ନିନ୍ଦା

ବାଙ୍ଗାଲୋର: କର୍ଣ୍ଣାଟକ କାମରାଜ ନଗର ଜିଲ୍ଲାରେ ଏକ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜନୈକ ମନ୍ତ୍ରୀ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି। କର୍ଣ୍ଣାଟକ ଗୃହନିର୍ମାଣ ମନ୍ତ୍ରୀ ଭି ସୋମନ୍ନା ଶନିବାର ଜିଲ୍ଲାର ଗୁଣ୍ଡଲୁପେଟ ତାଲୁକ ଅନ୍ତର୍ଗତ ହଙ୍ଗଲା ଗାଁରେ ୧୭୩ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କିନ୍ତୁ କେମ୍ପାମ୍ମା ନାମ୍ନୀ ଜନୈକା ମହିଳା ହିତାଧିକାରୀ ଚୟନରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ମହିଳା ଜଣକ ମନ୍ତ୍ରୀଙ୍କ ପାଖକୁ ଯାଇ ଅଭିଯୋଗ କରିବା ପରେ ମନ୍ତ୍ରୀ ତାଙ୍କୁ ଗୋଟିଏ ଚାପୁଡ଼ା ମାରିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାପରେ ମହିଳାଜଣକ ମନ୍ତ୍ରୀଙ୍କୁ ଗୋଡ଼ଧରି ଭୁଲ ମାଗିଥିଲେ। ଏହି ସମୟରେ ସୁରକ୍ଷା କର୍ମୀ ତାଙ୍କୁ ସେଠାରୁ ଘୋଷାରି ନେଇଯାଇଥିଲେ।

ଏହି ଘଟଣା ପରେ ମନ୍ତ୍ରୀଙ୍କଠାରୁ ପ୍ରଥମେ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ଭିଡ଼ିଓ ସେୟାର କରାଯାଇଛି, ଯେଉଁଥିରେ ମହିଳା ଜଣକ କହିଛନ୍ତି ଯେ ସେ ଖୁବ୍ ଗରିବ ଥିବାରୁ ତାଙ୍କୁ ଜମିଟିଏ ଦେବା ପାଇଁ ସେ ମନ୍ତ୍ରୀଙ୍କୁ ଗୋଡ଼ଧରି ଅନୁରୋଧ କରିଥିଲେ ଏବଂ ମନ୍ତ୍ରୀ ତାଙ୍କୁ ହାତଧରି ଉଠାଇବା ସହ ଜମିଟିଏ ଦିଆଯିବ ‌ବୋଲି କହିଥିଲେ। କିନ୍ତୁ ମିଡ଼ିଆରେ ମନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଲେ ବୋଲି ଭୁଲ କଥା ପ୍ରଚାର କରାଯାଇଛି ବୋଲି କୁହାଯାଇଥିଲା। ତେବେ ସତ୍ୟ ସାମ୍ନାକୁ ଆସିବା ପରେ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମନ୍ତ୍ରୀଙ୍କ ଚାପୁଡ଼ାମରା କାର୍ଯ୍ୟର ନିନ୍ଦା କରିବା ସହ ଏପରି ଲଜ୍ଜାହୀନ ଲୋକକୁ ମନ୍ତ୍ରିପଦରୁ ବହିଷ୍କାର କରାଯିବା ଉଚିତ ବୋଲି ଟ୍ବିଟ କରିଛନ୍ତି। ଜେଡିଏସ୍ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହାର ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର