ନୂଆଦିଲ୍ଲୀ: ନିର୍ବନ୍ଧ ହେବାର ଅଳ୍ପ ସମୟ ପରେ ତୁର୍କୀର ଜଣେ ମହିଳା ପାହାଡ଼ ଉପରୁ ୧୦୦ ଫୁଟ୍ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଜୁଲାଇ ୬ ତାରିଖ ଦିନ ଉତ୍ତର-ପଶ୍ଚିମ ତୁର୍କୀର ପୋଲେଣ୍ଟି କେପ୍ର ଗୋଟାଏ ପାହାଡ଼ ଉପରେ ୟେସିମ୍ ଦେମିର୍ ନାମ୍ନୀ ଜଣେ ୩୯ ବର୍ଷୀୟ ମହିଳା ଓ ତାଙ୍କ ପ୍ରେମିକ ନିଜାମେତ୍ତିନ୍ ଗୁର୍ସୁଙ୍କର ନିର୍ବନ୍ଧ ହୋଇଥିଲା।
ଗୁର୍ସୁ ଦେମିର୍ଙ୍କୁ ‘ପ୍ରପୋଜ୍’ କରିସାରିବା ପରେ ସୂର୍ଯ୍ୟାସ୍ତ ଆଡ଼କୁ ଚାହିଁ ସୁସ୍ବାଦୁ ଖାଦ୍ୟ ଓ ପାନୀୟରେ ଆପ୍ୟାୟିତ ହୋଇ ଏହି ନିର୍ବନ୍ଧକୁ ସେଲିବ୍ରେଟ୍ କରିବାକୁ ବିଚାର କରୁଥିଲେ। ତେଣୁ, ଭୋଜନ ଓ ପାନୀୟ ଆଣିବା ପାଇଁ ସେ କାର୍ ନିକଟକୁ ଯାଉଥିବା ବେଳେ ହଠାତ୍ ଗୋଟାଏ ଚିତ୍କାର ଶୁଣିଲେ। ଘଟଣାସ୍ଥଳକୁ ଧାଇଁ ଯାଇ ଗୁର୍ସୁ ଦେଖିଲେ ତାଙ୍କ ଭାବୀ ସ୍ତ୍ରୀ ପାହାଡ଼ ଉପରୁ ତଳକୁ ଖସିପଡ଼ିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୦୦ ଫୁଟ୍ ଉଚ୍ଚରୁ ପଡ଼ି ମଧ୍ୟ ଦେମିର୍ ଆହତ ହୋଇ ବଞ୍ଚିଥିଲେ। କିନ୍ତୁ, ପରେ ତାଙ୍କର ମୃତ୍ୟୁ ହୋଇଗଲା।
ଶୋକାତୁର ଗୁର୍ସୁ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ନିର୍ବନ୍ଧ ଅଧିକ ରୋମାଣ୍ଟିକ୍ ହେବ ବୋଲି ବିଚାରି ସେମାନେ ଉକ୍ତ ସ୍ଥାନ ଚୟନ କରିଥିଲେ। ତାଙ୍କ ଭାଷାରେ, ‘ପ୍ରପୋଜାଲ୍’ ପରର ସ୍ମୃତିକୁ ରୋମାଣ୍ଟିକ୍ କରିବାକୁ ଆମେ ସେ ସ୍ଥାନଟି ବାଛିଥିଲୁ। ଆମେ କିଛି ମଦ ବି ପିଇଥିଲୁ। କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଗଲା। ସେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଲେ।
ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ସେ ଅଞ୍ଚଳ ସିଲ୍ କରି ତଦନ୍ତ ଆରମ୍ଭ କରିଛନ୍ତି।