ଗୁପ୍ତଧନ ପାଇଁ ନିର୍ଯାତନା: ମହିଳାଙ୍କୁ ୫୦ ଦିନ ଅନାହାର ରଖାଗଲା

ମୁମ୍ବାଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି। ଗୁପ୍ତ ଧନର ସନ୍ଧାନ ପାଇଁ ଜଣେ ବ୍ୟକ୍ତି ତାଙ୍କ ନବବିବାହିତ ପତ୍ନୀଙ୍କୁ ଲଗାତାର ୫୦ ଦିନ ପର୍ଯ୍ୟନ୍ତ ପୂଜାପାଠ ପାଇଁ ଖୁବ୍‌ କମ୍‌ ଖାଦ୍ୟ ଖାଇବାକୁ ବାଧ୍ୟ କରିଥିଲେ। ମହିଳା ଜଣଙ୍କ ୨୦୧୮ ଅଗଷ୍ଟରେ ବିବାହ କରିଥିଲେ। ତେବେ ଚନ୍ଦ୍ରପୁରର ଜଣେ ଆତ୍ମଘୋଷିତ ଧର୍ମଗୁରୁ ମହିଳାଙ୍କ ସ୍ବାମୀଙ୍କୁ ପରାମର୍ଶ ଦେଇ କହିଥିଲେ ,ଯଦି ତାଙ୍କ ପତ୍ନୀ ଉପବାସ ରହି ୫୦ ଦିନ ପୂଜାକର୍ମ କରନ୍ତି ତେବେ ତାଙ୍କୁ ବିପୁଳ ଗୁପ୍ତ ଧନ ମିଳିବ। ଆତ୍ମଘୋଷିତ ଧର୍ମଗୁରୁଙ୍କ କଥାରେ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ଶ୍ବଶୁର ତାଙ୍କୁ ବିବାହର ପ୍ରଥମ ଦିନରୁ ହିଁ ଅତ୍ୟାଚାର କରି ଆସିଛନ୍ତି। ୫୦ ଦିନ ମଧ୍ୟରେ ମହିଳାଙ୍କୁ ଅନେକ ଦିନ ସଂପୂର୍ଣ୍ଣ ଉପାସ ରହିବାକୁ ପଡ଼ୁଥିଲା ଏବଂ ଆଉ କିଛିଦିନ ଖୁବ୍‌ କମ୍‌ ଖାଦ୍ୟ ଖାଇବାକୁ ଦିଆଯାଉଥିଲା। ପୂଜାପାଠରେ ଭୁଲ୍‌ ହେଲେ ତାଙ୍କୁ ମାର୍‌ପିଟ ମଧ୍ୟ କରାଯାଉଥିଲା। ମହିଳା ଜଣଙ୍କ ତାଙ୍କ ବାପା ମା’ଙ୍କ ସହ କଥା ନହେବାପାଇଁ ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ଛଡ଼ାଇ ନିଆଯାଇଥିଲା। କିନ୍ତୁ ମହିଳାଙ୍କ ବାପା ଝିଅ ସହ କୌଣସି ଯୋଗାଯୋଗ ହୋଇ ନପାରିବାରୁ ଖୁବ୍‌ ବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ଝିଅ ଘରେ ପହଞ୍ଚି ଯାଇଥିଲେ। ଝିଅକୁ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କରିବାପରେ ସେ ଉକ୍ତ ଘଟଣାାରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ମହିଳାଙ୍କ ସ୍ବାମୀ ଏବଂ ଶ୍ବଶୂରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର