ତେଲେଙ୍ଗାନାରେ ଅଭାବନୀୟ ଘଟଣା : ମହିଳା ତହସିଲ୍ଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ
ହାଇଦ୍ରାବାଦ୍ : ତେଲେଙ୍ଗାନାର ହୟାତନଗର ବ୍ଲକ୍ ଅବଦୁଲ୍ଲାପୁରମେଟ୍ ତହସିଲ୍ ଅଫିସରେ ଆଜି ଜଣେ ୩୫ ବର୍ଷୀୟା ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳି ଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଗୌରେଲ୍ଲି ଗ୍ରାମର ସୁରେଶ ମୁଦିରାଜ ନାମକ ଜଣେ ସ୍ଥାନୀୟ କୃଷକ ତହସିଲ ଅଫିସରେ ପଶି ମହିଳା ତହସିଲଦାରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଅଧିକାରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ମହିଳା ରାଜସ୍ବ ଅଧିକାରୀଙ୍କ ନାମ ସିଏଚ୍ ବିଜୟା ରେଡ୍ଡୀ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ଅଭିଯୁକ୍ତ ସୁରେଶ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାଟରେ ମଝି ରାସ୍ତାରେ ତଳେ ପଡ଼ି ଯାଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନାନୁଯାୟୀ ଅଭିଯୁକ୍ତ ସୁରେଶ ହାତରେ ଗୋଟିଏ ବ୍ୟାଗ୍ ଥିଲା। ସେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ବିଜୟାଙ୍କ ଚ୍ୟାମ୍ବରରେ ରହିଥିଲା। କିନ୍ତୁ ସେ ବିଜୟାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ତାହା କେହି ଜାଣି ପାରିନଥିଲେ। ହଠାତ୍ ବିଜୟା ଜଳନ୍ତା ଅବସ୍ଥାରେ ବାହାରକୁ ଆସି ଚଟାଣରେ ପଡ଼ିଯିବାରୁ ସମସ୍ତେ ହତବାକ୍ ହୋଇଯାଇଥିଲେ। ବିଜୟାଙ୍କୁ ଜଳୁଥିବାର ଦେଖି ଅନ୍ୟ ଦୁଇ ଅଧିକାରୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଏଭଳି ବର୍ବର କାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିଲେ ମଧ୍ୟ ଜମି ବିବାଦରୁ ସୁରେଶ ତହସିଲଦାର ବିଜୟାଙ୍କୁ ଜାଳି ଦେଇଥିବା କୁହାଯାଉଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି। ଜାଣିବାକୁ ମିଳିଛି ଯେ ନିକଟରେ ଅବଦୁଲ୍ଲାପୁରମେଟ ତହସିଲ ସୃଷ୍ଟି ହୋଇଥିଲା ଏବଂ ବିଜୟା ରେଡ୍ଡି ଏହି ଅଫିସରେ ପ୍ରଥମ ତହସିଲଦାର ରୂପେ ନିଯୁକ୍ତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ମାସରେ ମଧ୍ୟ ତେେଲଙ୍ଗାନାର ଅନ୍ୟ ଜଣେ ମହିଳା ଜଙ୍ଗଲ ଅଧିକାରୀଙ୍କୁ ମଧ୍ୟ କିଛି ଟିଆରଏସ୍ କର୍ମୀ ମାଡ଼ ମାରିଥିଲେ।