କୁଲଗାମ୍‌: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କରୁଥିବା ଆକ୍ରମଣରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଶିକ୍ଷୟିତ୍ରୀଙ୍କ ନାମ ରଜନୀ ବାଲା। ମୃତ୍ୟୁ ବେଳକୁ ତାଙ୍କ ୩୬ ବର୍ଷ ବୟସ ହୋଇଥିଲା। ରଜନୀ ହେଉଛନ୍ତି ଜମ୍ମୁସ୍ଥିତ ଶାମ୍ବାର ବାସିନ୍ଦା।

Advertisment

ରଜନୀଙ୍କୁ ଆତଙ୍କବାଦୀମାନେ ସେ ଶିକ୍ଷକତା କରୁଥିବା ସ୍ଥାନ କୁଲଗାମର ଗୋପାଲପୋରା ଅଞ୍ଚଳରେ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ସେ ଗୁରୁତର ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡ କେଉଁ ଆତଙ୍କବାଦୀ ଘଟାଇଛି ତାହା ଖୁବ୍‌ ଶୀଘ୍ର ଜଣାପଡ଼ିଯିବ ବୋଲି ପୁଲିସ୍‌ ସୂତ୍ରରୁ ଶୁଣିବାକୁ ମିଳିଛି।

ଘଟଣାଟି ଗୋପାଲପୋରା ଅଞ୍ଚଳରେ ଥିବା ଏକ ହାଇସ୍କୁଲ୍‌ରେ ଘଟିଛି। ଏହି ଘଟଣା ଘଟିବା ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହି ଘଟଣା ନୂଆ ନୁହେଁ। ନିକଟରେ ରାହୁଲ ଭଟ୍ଟ ନାମକ ଜଣେ ସରକାରୀ ଚାକିରିଆଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

ଆତଙ୍କବାଦୀମାନେ ସକ୍ରିୟ ରହିଥିବା କାରଣରୁ ପୁଲିସ୍‌ ଓ ସୁରକ୍ଷା ବଳ ଏବେ ହାଇ ଆର୍ଲଟରେ ଅଛନ୍ତି। ଅନ୍ୟପକ୍ଷରେ ଅବନ୍ତିପୋରା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀଙ୍କ ଜୀବନ ଯାଇଛି। ସୋମବାର ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏନ୍‌କାଉଣ୍ଟର୍‌ ପରେ ସେହି ସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି। ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌।