‘ବ୍ଲଡ୍‌ ପ୍ଲାଜ୍‌ମା’ ବିକି ପ୍ରତି ମାସରେ ‘ଡିଜ୍‌ନି ୱାର୍ଲଡ୍‌’ ଯାଉଛନ୍ତି ଆମେରିକୀୟ ମହିଳା ଲିଜ୍‌

ୱାସିଂଟନ୍‌: ‘ୱାର୍ଲଡ୍‌ ଅଫ୍ ଡିଜ୍‌ନି’ ମାୟ‌ାରେ ପଡ଼ିଥିବା ଫିଲାଡେଲ୍‌ଫିଆର ଲିଜ୍‌ ଗ୍ରାମ୍‌ଲିଚ୍‌ ନାମରେ ଜଣେ ୨୮ ବର୍ଷୀୟ ମହିଳା ତାଙ୍କର ‘ବ୍ଲଡ୍‌ ପ୍ଲାଜ୍‌ମା’ ବିକ୍ରୟ କରି ପ୍ରତି ମାସରେ ନିଜ ଭଉଣୀ ସହିତ ଅର୍ଲାଣ୍ଡୋସ୍ଥିତ ‘ୱଲ୍‌ଟ୍‌ ଡିଜ୍‌ନି ୱାର୍ଲଡ୍‌’ ବୁଲି ଯାଉଛନ୍ତି।

‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ, ‘ବ୍ଲଡ୍‌ ପ୍ଲାଜ୍‌ମା’ ଦାନ ସମ୍ପର୍କରେ ଯୁକ୍ତି ବାଢ଼ି ଲିଜ୍‌ କହୁଛନ୍ତି କି, ଏହାଦ୍ବାରା ସେ ପରର ଉପକାର କରୁଛନ୍ତି। ପ୍ଲାଜ୍‌ମାଦ୍ବାରା କର୍କଟ ରୋଗାକ୍ରାନ୍ତ ପ୍ରାପ୍ତ ବୟସ୍କ ଓ ପିଲାମାନଙ୍କର ଚିକିତ୍ସା ହେଉଛି। ଯକୃତ୍‌ ରୋଗ ଏବଂ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାରେ ସମସ୍ୟା ଥିବା ଲୋକମାନଙ୍କର ମଧ ଚିକିତ୍ସା ହେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଜାନୁଆରି, ଫେବ୍ରୁଆରି ଏବଂ ମାର୍ଚ ମାସରେ ‘ୱଲ୍‌ଟ୍‌ ଡିଜ୍‌ନି ୱାର୍ଲଡ୍‌’ ବୁଲି ଯାଇଥିବା ଲିଜ୍‌ ଏବେ ଏପ୍ରିଲ୍‌ ମାସ ଗସ୍ତ ପାଇଁ ବୁକିଙ୍ଗ୍‌ କରିଛନ୍ତି।

Image Courtesy of Fox News

‘ଫକ୍ସ୍‌ ନିଉଜ୍‌’ ସହ ସାକ୍ଷାତ୍‌କାର ବେଳେ ଲିଜ୍ କହିଛନ୍ତି ଯେ, ବିମାନ ଟିକେଟ୍‌ର ମୂଲ୍ୟ ଉପରେ ତାଙ୍କର ‘ୱଲ୍‌ଟ୍‌ ଡିଜ୍‌ନି ୱାର୍ଲଡ୍‌’ ବୁଲା ନିର୍ଭର କରୁଛି। ଯେତେବେଳେ ବିମାନ ଯାତ୍ରା ଟିକେଟ୍‌ର ମୂଲ୍ୟ ସବୁଠୁ କମ୍‌ ଥାଏ ସେ ସେଠାକୁ ବୁଲି ଯାଆନ୍ତି। ବୁଲିଯିବା ପାଇଁ ନିଅଣ୍ଟ ହେଉଥିବା ଅର୍ଥ ଭରଣା ପାଇଁ ସେ ସପ୍ତାହକୁ ୨ ଥର ‘ବ୍ଲଡ୍‌ ପ୍ଲାଜ୍‌ମା’ (ରକ୍ତ କଣିକା ନ ଥିବା ରକ୍ତର ତରଳ ପଦାର୍ଥକୁ ପ୍ଲାଜ୍‌ମା କହନ୍ତି) ବିକ୍ରୟ କରନ୍ତି।

ସୂଚନାଯୋଗ୍ୟ, ବିମାନରେ ଫିଲାଡେଲ୍‌ଫିଆରୁ ଅର୍ଲାଣ୍ଡୋ ଯିବା ପାଇଁ ୨ ଘଣ୍ଟା ଲାଗୁଥିବାରୁ ସେ ଦିନକ ପାଇଁ ‘ୱଲ୍‌ଟ୍‌ ଡିଜ୍‌ନି ୱାର୍ଲଡ୍‌’ ବୁଲି ଯାଇ ପାରିବେ ବୋଲି ୨୦୨୦ରେ ଚିନ୍ତା କରିଥିଲେ। ଏହା ଥିଲା ‘ଡିଜ୍‌ନି’କୁ ତାଙ୍କର ପ୍ରଥମ ଯାତ୍ରା।

ପ୍ରତିଥର ସେ ନୂଆ କିଛି ଦେଖୁ ଥିବାରୁ ଏବଂ ନୂଆ ଅଭିଜ୍ଞତା ହାସଲ କରୁଥିବାରୁ ‘ୱାର୍ଲଡ୍‌ ଅଫ୍ ଡିଜ୍‌ନି’ ପ୍ରତି ତାଙ୍କର ମୋହ ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର