ନୂଆଦିଲ୍ଲୀ: ପଞ୍ଜାବର ଅମୃତସରର ରାଜାସାଂସୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ତାର ଚାରି ମାସର ଛୁଆକୁ ଘରେ କ୍ଷୀର ପିଆଉଥିବା ବେଳେ ଦୁର୍ବୃ୍ତ୍ତଙ୍କ ଗୁଳିରେ ତାର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ନାମ ହରଜିନ୍ଦର କୌର ।
ସୂଚନାଯୋଗ୍ୟ, ହରଜିନ୍ଦର କୌର ସ୍ବାମୀ ମନ୍ନା କୌର ଓ ଚାରିମାସର ଛୁଆ ସହିତ ବସବାସ କରନ୍ତି। ମନ୍ନା କୌରଙ୍କ କିଛିଦିନ ତଳେ କେତେଜଣ ଯୁବକଙ୍କ ସହିତ ଝଗଡ଼ା ଲାଗିଥିଲା। ଉକ୍ତ ଯୁବକମାନେ ମନ୍ନା କୌରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ଯୋଜନା ମୁତାବକ ସେମାନେ ମନ୍ନା କୌରଙ୍କ ଘରକୁ ଜୋରଜବରଦସ୍ତ ପଶି ଆସିଥିଲେ। ଆଉ ମନ୍ନାଙ୍କୁ ଖୋଜିଥିଲେ। ଘରେ ଅଚିହ୍ନା ଯୁବକଙ୍କୁ ଦେଖି ହରଜିନ୍ଦର କୌର ଭୟଭୀତ ହୋଇ ସ୍ବାମୀ ମନ୍ନାଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ।
ଘରେ ମନ୍ନାଙ୍କୁ ନପାଇବା ପରେ ଦୁଇ ଯୁବକ ରାଗି ଯାଇଥିଲେ। କିଛିକଥାକୁ ନେଇ ହରଜିନ୍ଦର କୌରଙ୍କ ସହିତ ସେମାନଙ୍କ ଯୁକ୍ତିତର୍କ ଲାଗିଥିଲା। ଏହାପରେ ଚାରିମାସର ଶିଶୁକୁ ହରଜିନ୍ଦର କ୍ଷୀର ପିଆଉଥିବା ବେଳେ ଦୁର୍ବୃ୍ତ୍ତ ତାଙ୍କ ଉପରକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ମୁନ୍ନା ଘରେ ପହଞ୍ଚିବା ପରେ ହରଜିନ୍ଦର ରକ୍ତ ଜୁଡ଼ୁବୁଡ଼ୁ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ସ୍ତ୍ରୀକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ତୁରନ୍ତ ଛାନଭିନ ଆରମ୍ଭ କରି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।