ନୂଆଦିଲ୍ଲୀ: ପଞ୍ଜାବର ତରନତାରନ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅ ପଡ଼ିଶାଘର ଝିଅକୁ କୋର୍ଟ ମ୍ୟାରେଜ କରିବା ଘଟଣାକୁ କେନ୍ଦ୍ର କରି ମା’କୁ ଲୋକେ ଅର୍ଦ୍ଧନଗ୍ନ କରି ରାସ୍ତାରେ ବୁଲାଇଥିଲେ। ଏଥିସହିତ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରି ଦେଇଛନ୍ତି।

Advertisment

ପୀଡ଼ିତା ମହିଳା ବଲଟୋହା ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ‘ପଡ଼ିଶାରେ ରହୁଥିବା ଜଣେ ଯୁବତୀଙ୍କୁ ମ‌ୋ ପୁଅ କୋର୍ଟ ମ୍ୟାରେଜ କରିଥିଲା। ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟାରେ ଶରଣଜିତ ସିଂହ, ଗୁରଚରଣ ସିଂହ ଓ କୁଲବିନ୍ଦର କୌରଙ୍କ ସମେତ ଅନ୍ୟଦୁଇଜଣ ଯୁବକ ହଠାତ ଆସି ଘରର କବାଟ ବାଡ଼େଇ ଖୋଲିବାକୁ କହିଥିଲେ।

ମୁଁ ଯେମିତି କବାଟ ଖୋଲି ଦେଇଥିଲି ସେମାନେ ମୋତେ ମାଡ଼ ମାରିବା ସହିତ ମୋର ପୋଷାକ ଫାଡ଼ି ଦେଇଥିଲେ। ଟାଣିଟାଣି ମୋତେ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଲୋକେ ମୋତେ ସାହାଯ୍ୟ କରିବା ବଦଳରେ ଭିଡିଓ କରିବା ଆରମ୍ଭ କରି ଦେଇଥିଲି।

ମୋତେ ଛାଡ଼ି ଦେବାକୁ ଅଭିଯୁକ୍ତଙ୍କୁ ଅନେକ ନେହୁରା ବି ହୋଇଥିଲି କିନ୍ତୁ ସେମାନେ ମୋ କଥା କିଛି ଶୁଣି ନଥିଲେ।  ଘଟଣା ବିଷୟରେ ଖବର ପାଇ ସ୍ବାମୀ ଦୌଡ଼ି ଆସି ମୋତେ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ।’

ଏହି ଘଟଣାରକୁ ଗମ୍ଭୀରତା ସହ ନେଇ ଶରଣଜିତ ସିଂହ, ଗୁରଚରଣ ସିଂହ ଓ କୁଲବିନ୍ଦର କୌରଙ୍କ ସମେତ ଅନ୍ୟଦୁଇଜଣ ଯୁବକଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଯାଞ୍ଚ କରୁଛି।

ଏଥିସହିତ ପଞ୍ଜାବ ମହିଳା ଆୟୋଗ ତରନତାରନରେ ହୋଇଥିବା ଏହି ଲଜ୍ଜାକର ଘଟଣାକୁ ନେଇ ନୋଟିସ ଜାରି କରି ପୁଲିସ କ’ଣ କ’ଣ ପଦକ୍ଷେପ ନେଇଛି ସେ ବିଷୟରେ ତଥ୍ୟ ସଂଗ୍ରସ କରୁଛି।