କ୍ରପ୍‌ ଟପ୍‌ ପିନ୍ଧିଥିବାରୁ ଅଡୁଆରେ ମହିଳା ଯାତ୍ରୀ: ଘୋଡ଼ାଇ ହୋଇ ବସ୍‌ ନ ହେଲେ ବିମାନରୁ ବାହାରି ଯାଅ ବୋଲି କହିଲା ଥୋମାସ୍‌ କୁକ୍‌ ଏୟାରଲାଇନ୍ସ

ବିମାନ ମଧ୍ୟରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ବର୍ମିଂଘମ : ଥୋମାସ କୁକ୍‌ ଏୟାରଲାଇନ୍ସର ବିମାନ ମଧ୍ୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି  ମହିଳାଜଣଙ୍କ ଇଂଲଣ୍ଡର ବର୍ମିଂଘମ୍‌ରୁ ସ୍ପେନ୍‌ର ଟେନେରିଫ୍‌କୁ ଯାଉଥିବା ବେଳେ ସେ ପିନ୍ଧିଥିବା ପୋଷାକକୁ ନେଇ ତାଙ୍କ ସହ ଅସଦାଚରଣ କରାଯାଇଥିଲା । ମହିଳାଜଣଙ୍କ କଳା ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧି ବିମାନ ମଧ୍ୟକୁ ଯାଉଥିବା ସମୟରେ ବିମାନର କ୍ର୍ୟୁ ମେମ୍ବର ତାଙ୍କୁ ଅଟକାଇବା ସହ ଏଭଳି ପୋଷାକ ପିନ୍ଧି ଯାତ୍ରା କରି ପାରିବେ ନାହିଁ ବୋଲି କହିଥିଲେ । ଏହା ସହ ନିଜ ଶରୀରକୁ ଘୋଡ଼ାଅ ବା ବିମାନରୁ ଓହ୍ଲାଇ ଯାଅ ବୋଲି କୁହାଯାଇଥିଲା । କ୍ର୍ୟୁ ମେମ୍ବରଙ୍କ ଏଭଳି ବ୍ୟବହାର ମହିଳାଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସେ ପୂରା ଘଟଣା ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି । ମହିଳାଙ୍କ ନାମ ଏମିଲି ଓ’କନର ବୋଲି ଜଣା ପଡ଼ିଛି ।

ଏମିଲି କରିଥିବା ଟୁଇଟ୍‌ ଅନୁଯାୟୀ, ପୂର୍ବରୁ ସବୁ ଚେକିଂ ଚାଲିଥିବା ସମୟରେ ମୋ ପୋଷାକକୁ ନେଇ କେହି ପ୍ରଶ୍ନ କରି ନଥିଲେ । କିନ୍ତୁ ମୁଁ ବିମାନ ମଧ୍ୟକୁ ଯିବା ପରେ କ୍ର୍ୟୁ ମେମ୍ବର ମୋତେ ଅଟକାଇ ତୁମ ଶରୀରକୁ ଘୋଡ଼ାଇ ଭିତରକୁ ଯାଅ ବୋଲି କହିଥିଲେ । ତୁମେ ଯେମିତି ପୋଷାକ ପିନ୍ଧିଛ, ତା’ ଦ୍ୱାରା ଅନ୍ୟ ଯାତ୍ରୀମାନେ ଅସହଜ ଅନୁଭବ କରି ପାରନ୍ତି ।

ସେଥିପାଇଁ ତୁମେ ନିଜ ଶରୀରରୁ ଘୋଡ଼ଆ ନ ହେଲେ ବିମାନରୁ ବାହାରି ଯାଅ । ଏହା ଶୁଣି ମୁଁ ବିମାନରେ ଥିବା ଯାତ୍ରୀଙ୍କୁ ଆପଣମାନଙ୍କୁ ମୋ ପୋଷାକକୁ ନେଇ କିଛି ଅସୁବିଧା ରହିଛି କି ବୋଲି ପଚାରିଥିଲି । କେହି କିଛି ପ୍ରତିବାଦ କରି ନଥିବା ବେଳେ ଜଣେ ଯୁବକ ଉଠି ମୋତେ ଗାଳି ଦେବା ସହ ଜ୍ୟାକେଟ୍‌ ପିନ୍ଧିବା ପାଇଁ କହିଥିଲେ ।

ଏତେ ସବୁ ମଧ୍ୟରେ ମୁଁ ଡ଼ରି ଯାଇଥିଲି । ମୋତେ ଥରୁ ଥିବା ଦେଖି ମଧ୍ୟ କ୍ର୍ୟୁ ମେମ୍ବର ବାରମ୍ବାର ମୋତେ ବାହାରିବା ପାଇଁ କହି ଚାଲିଥିଲେ । ଯାହା ପାଇଁ ମୁଁ ବାଧ୍ୟ ହୋଇ ମୋ ଭଉଣୀ ଦେଇଥିବା ଜ୍ୟାକେଟ୍‌ ପିନ୍ଧିଥିଲି ବୋଲି କହିଛନ୍ତି ଏମିଲି । ତାଙ୍କ ଟୁଇଟ୍‌ ପରେ ଲୋକମାନଙ୍କ ମିଶ୍ର ପ୍ରତିକ୍ରିୟ ଆସୁଥିବା ଦେଖା ଯାଇଛି ।

କିଛି ଲୋକ ଏମିଲିଙ୍କୁ ସମର୍ଥନ କରୁଥିବା ବେଳେ କିଛି ଥୋମାସ୍‌ କୁକ୍‌ ଏୟାରଲାଇନ୍ସକୁ ସମର୍ଥନ କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର