ଜୟପୁର: ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଚାରିତ୍ରିକ ସନ୍ଦେହ ଯୋଗୁଁ ଜଣେ ଆଦିବାସୀ ମହିଳାଙ୍କୁ ଶ୍ୱଶୁରଘର ଲୋକ ନିର୍ଯାତନା ଦେବା ସହିତ ଉଲଗ୍ନ କରି ଗାଁ ରାସ୍ତାରେ ବୁଲାଇଥିଲେ। ପୁଲିସ ଏହି ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଥିଲା ।
ଏଭଳି ଅମାନବୀୟ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ରାଜନୈତିକ ଦଳ ବି ସକ୍ରିୟ ହୋଇପଡ଼ିଥିଲେ । ବିଭିନ୍ନ ରାଜନେତାମାନେ ଏହି ଘଟଣାକୁ ନେଇ ନିଜନିଜର ପ୍ରତିକ୍ରିୟା ଦେଇଥିଲେ।
ଏହି ଘଟଣାକୁ କେନ୍ଦ୍ର କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସଂପୃକ୍ତ ମହିଳାଙ୍କୁ ସରକାରୀ ଚାକିରି ଦେବା ସହ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହି ଘୋଷଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା।
ଗତ ରବିବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ବୈଠକ ଆୟୋଜିତ ହୋଇଥିଲା। ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜନଜାତି ମହିଳାଙ୍କ ସହିତ ଘଟିଥିବା ଅମାନବୀୟ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା। ଏହି ବୈଠକରେ ମନ୍ତ୍ରୀମଣ୍ଡଳ ପୀଡ଼ିତାଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି ଦେବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଦେଇଛନ୍ତି। ଏକ ସରକାରୀ ସୂଚନା ଅନୁସାରେ, ପୀଡ଼ିତାଙ୍କୁ ଶିକ୍ଷାବିଭାଗ ଓ ସ୍ଥାନୀୟ ରାଜକୀୟ ବିଦ୍ୟାଳୟରେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏଭଳି ନିିଯୁକ୍ତି ପରେ ପୀଡ଼ିତା ତାଙ୍କ ସହିତ ଘଟିଥିବା ଘଟଣାକୁ ଭୁଲି ପୁଣିଥରେ ମନକୁ ଦୃଢ଼ କରି ସମାଜରେ ବାଟ ଚାଲି ପାରିବେ ବୋଲି ଆଶା ରଖାଯାଇଛି।