ଅସୁସ୍ଥତାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା : ଇରାନ ସରକାର

ତେହେରାନ : ଠିକ ଭାବରେ ହିଜାବ ପିନ୍ଧିନଥିବାରୁ ଗତ ସେପ୍ଟେମ୍ବର ମାସରେ ଇରାନର ଧାର୍ମିକ ବ୍ୟାପାର ପୁଲିସ ମାଡ଼ରେ ମାସା ଅମିନି ନାମକ ଯୁବତୀ ମୃତ୍ୟୁବରଣ କରିଥିବା ମାମଲା ଏକ ନୂଆ ମୋଡ଼ ନେଇଛି । ଇରାନ ସରକାର କହିଛନ୍ତି ଯେ ପୁଲିସ ମାଡ଼ ନୁହେଁ, ଅସୁସ୍ଥତା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଆନ୍ଦୋଳନ ଆହୁରି ତେଜିବାର ଆଶଙ୍କା ଦେଖାଦେଇଛି ।

ଇରାନ ସରକାରଙ୍କ ଦ୍ବାରା ନିଯୁକ୍ତ ଜଣେ ତଦନ୍ତ ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଯୁବତୀଙ୍କ ମୃତ୍ୟୁ ମୁଣ୍ଡ କିମ୍ବା ଛାତି ମାଡ଼ ହେବାଯୋଗୁଁ ନୁହେଁ, ପୂର୍ବରୁ ଥିବା ରୋଗ ଯୋଗୁଁ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମସ୍ତିଷ୍କରେ ଆଘାତ ଲାଗିଥିଲା ଓ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଣୁ ସେ ପୁଲିସକୁ କ୍ଲିନ ଚିଟ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ୨୨ ବର୍ଷୀୟା ମାସା  ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁପାଇଁ ଅମିନିଙ୍କ ପରିବାର ପୁଲିସକୁ ଦାୟୀ କରୁଛନ୍ତି । ଏହା ପରେ ସମଗ୍ର ଇରାନରେ ଆନ୍ଦୋଳନର ବହ୍ନି ତେଜିବାରେ ଲାଗିଛି ।

ସମ୍ବନ୍ଧିତ ଖବର