ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଗବେଷକମାନେ ସମ୍ପୂର୍ଣ୍ଣ ‘ଏଚ୍ଆଇଭି’ ଭୂତାଣୁ କବଳିତ ଜଣେ ୩୬ ବର୍ଷୀୟ ମହିଳାଙ୍କ ଶରୀରରେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ବିପଜ୍ଜନକ କରୋନାଭାଇରସ୍ର ସନ୍ଧାନ ପାଇଛନ୍ତି। ୨୧୬ ଦିନ ହେବ କୋଭିଡ୍-୧୯ ଆକ୍ରାନ୍ତ ଉକ୍ତ ମହିଳାଙ୍କ ଶରୀରରେ କରୋନାଭାଇରସ୍ ଭୂତାଣୁ ୩୦ରୁ ଅଧିକ ଥର ତା’ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରି ସାରିଛି।
ଗୁରୁବାର ଦିନ ଏହି ମାମଲାର ରିପୋର୍ଟ ‘ମେଡିକାଲ୍ ଜର୍ଣ୍ଣାଲ୍ ମେଡ୍ରିକ୍ସିଭ୍’ରେ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ, ମହିଳାଜଣକ ‘ଏଚ୍ଆଇଭି’ ସଂକ୍ରମିତ ବୋଲି ୨୦୦୬ରେ ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସଦାସର୍ବଦା ଦୁର୍ବଳ ହୋଇ ଆସୁଥିଲା। ୨୦୨୦ ସେପ୍ଟେମ୍ବରରେ ସେ କୋଭିଡ୍-୧୯ ସଂକ୍ରମିତ ହେବା ପରେ, ତାଙ୍କ ଶରୀରରେ କରୋନାଭାଇରସ୍ର ‘ସ୍ପାଇକ୍ ପ୍ରୋଟିନ୍ ୧୩ ଥର ପରିବର୍ତ୍ତିତ ହେବା ସହ ଭୂତାଣୁର ଗୁଣସୂତ୍ରରେ ଅନ୍ୟାନ୍ୟ ୧୯ଟି ପରିବର୍ତ୍ତନ ଘଟିଥିଲା। ଫଳରେ ତାଙ୍କ ଶରୀରରେ ଥିବା କରୋନାଭାଇରସ୍ର ସ୍ବଭାବ ବଦଳି ଯାଇଥିଲା।
Image Courtesy of Fierce Pharmaସେ ମହିଳାଙ୍କ ଶରୀରରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର କ୍ରମ ପ୍ରଥମେ ଇଂଲଣ୍ଡ୍ରେ ଦେଖା ଦେଇଥିବା ‘ଆଲ୍ଫା ଭେରିଆଣ୍ଟ୍ ବି.୧.୧.୭’ର ଅଂଶବିଶେଷ ‘ଇ୪୮୪କେ ମ୍ୟୁଟେସନ୍’ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ‘ବିଟା ଭେରିଆଣ୍ଟ୍ ବି.୧.୩୫୧’ର ଅଂଶବିଶେଷ ‘ଏନ୍୫୧୦ୱାଇ’ ଭଳି ଆଶଙ୍କା ଉଦ୍ରେକକାରୀ ଭୂତାଣୁରେ ରହିଥିବା କଥା ଜଣାପଡ଼ିଛି।
ମହିଳାଜଣଙ୍କ ଶରୀରକୁ ଏହି ପରିବର୍ତ୍ତିତ ଭୂତାଣୁ ସବୁ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଛି କି, ନାହିଁ ତାହା ଜଣାପଡ଼ି ନ ଥିବା କଥା ଗବେଷକମାନେ କହିଛନ୍ତି। କିନ୍ତୁ, ଗବେଷକମାନେ କହିଛନ୍ତି ଯେ, ୪ଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଜଣେରୁ ଅଧିକ ‘ଏଚ୍ଆଇଭି+’ ଥିବା ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାତାଲ ଅଞ୍ଚଳରୁ କରୋନାଭାଇରସ୍ର ଅଧିକାଂଶ ନୂଆ ‘ଭେରିଆଣ୍ଟ୍’ ବାହାରି ଥିବା କଥା ସମ୍ଭବତଃ କାକତାଳୀୟ ନୁହେଁ।
ଡର୍ବାନ୍ସ୍ଥିତ କ୍ବାଜୁଲୁ-ନାତାଲ ବିଶ୍ବବିଦ୍ୟାଳୟର ଗୁଣସୂତ୍ରବିତ୍ ତଥା ଉକ୍ତ ଅଧ୍ୟୟନର ଗବେଷକ ଟୁଲିଓ ଡି ଅଲିଭିରା ଗଣମାଧ୍ୟମକୁ କହିଛନ୍ତି ଯେ, ଶରୀରରେ କରୋନାଭାଇସର୍ ଥିଲେ ସୁଦ୍ଧା ସମ୍ପୃକ୍ତ ମହିଳାଙ୍କ ଠାରେ କୋଭିଡ୍-୧୯ର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/variant.jpeg)