ମାସ୍କ ପିନ୍ଧିବାକୁ କହିବାରୁ ସିକ୍ୟୁରଟି ଗାର୍ଡଙ୍କୁ ୨୭ ଥର ଛୁରୀରେ ଆକ୍ରମଣ କଲେ ଦୁଇ ଭଉଣୀ

ଚିକାଗୋ: ମାସ୍କ ପିନ୍ଧିବାକୁ କହିବାରୁ ଜନୈକ ସିକ୍ୟୁରିଟି ଗାର୍ଡଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଦୁଇ ଜଣ ଯୁବତୀ | ଆମେରିକାର ଚିକାଗୋରୁ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି | ଦୁଇ ଭଉଣୀ ୨୭ ଥର ଛୁରୀ ସାହାଯ୍ୟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ସୂଚନା ମୁତାବକ ଜେସିକା ହିଲ(୨୧) ଓ ତାଙ୍କ ଭଉଣୀ ଜୟଲା(୧୮) ଏକ ଜୋତା ଦୋକାନକୁ ଯାଇଥିଲେ | ଦୋକାନକୁ ଯିବା ପୂର୍ବରୁ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ମାସ୍କ ପିନ୍ଧି ଦୋକାନ ମଧ୍ୟକୁ ପ୍ରବେଶ କରିବାକୁ କହିଥିଲେ | ଏହା ସହ ସାନିଟାଇଜର ବ୍ୟବହାର କରିବାକୁ ସିକ୍ୟୁରିଟି ଗାର୍ଡ ତାଗିଦ କରି କହିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଜଣ ଭଉଣୀ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ |

ଆଉ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଭଉଣୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | ଏଥିରେ ସୁରକ୍ଷାକର୍ମୀଙ୍କ ବେକ, ପିଠିରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ଏଥିସହ ଦୁଇ ଭଉଣୀଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା |

ତେବେ ଦୁଇ ଭଉଣୀଙ୍କ ଓକିଲ କହିଥିଲେ ଯେ ଉଭୟଙ୍କର ଏହି ଅପରାଧ କରିବାର ଉଦ୍ଦେଶ୍ୟ ନଥିଲା ଓ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ | ତେବେ ବିଚାରପତି ଓକିଲଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଉଭୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି |

ସମ୍ବନ୍ଧିତ ଖବର