ଅବୈଧ ସମ୍ପର୍କ ପାଇଁ ପରିବାର ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇଦେଲେ ମହିଳା

ପାଟନା: ଅବୈଧ ସମ୍ପର୍କ ପାଇଁ ପରିବାରର ସଦସ୍ୟଙ୍କୁ ଚା ରେ ବିଷ ମିଶାଇ ପିଇବାକୁ ଦେଲେ ମହିଳା | ବିହାରର ମଧୁବାନୀ ଜିଲ୍ଲାରେ ଏଭଳି ଏକ ସଂଗୀନ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏହି ଘଟଣା ମଧୁବାନୀ ଜିଲ୍ଲାର ସାଦୁଲ୍ଲାପୁର ଗାଁରେ ଘଟିଥିବା ଜଣାପଡିଛି, ଯେଉଁଠାରେ ଅଭିଯୁକ୍ତ ମହିଳା ଅନୈତିକ ସମ୍ପର୍କ କାରଣରୁ ଚା’ରେ ବିଷ ମିଶାଇ ପରିବାରର ୬ ଜଣ ସଦସ୍ୟଙ୍କୁ ପିଇବାକୁ ଦେଇଥିଲେ ।

ଅଭିଯୁକ୍ତ ମହିଳାଙ୍କ ନାମ ଚନ୍ଦା ଦେବୀ ହୋଇଥିବାବେଳେ ସେ ନିଜ ଦିଅର, ତାଙ୍କ ଶାଶୁ ଓ ତିନି ପୁଅଙ୍କୁ ବିଷାକ୍ତ ଚା ’ଦେଇଥିଲେ। ତା’ପରେ ସେ ନିଜେ ଏହି ବିଷାକ୍ତ ଚା ପିଇଦେଇଥିଲେ । ଘଟଣା ବାବଦରେ ଜଣାପଡିବା ପରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚନ୍ଦା ଦେବୀଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିଲା।

ଏଥି ସହ ଅଭିଯୁକ୍ତ ମହିଳାଙ୍କ ଦୁଇ ପୁଅ ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ଲଢେଇ କରୁଛନ୍ତି । ତେବେ ଚିକିତ୍ସା ପରେ ଅଭିଯୁକ୍ତ ଚନ୍ଦା ଦେବୀ, ତାଙ୍କ ବଡ଼ ପୁଅ ଏବଂ ଶାଶୁ ବିପଦମୁକ୍ତ ଅଛନ୍ତି। ବର୍ତ୍ତମାନ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଏକ ମାମଲା ରୁଜୁ କରିଛି ଏବଂ ଏ ସମ୍ପର୍କରେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର