ପ୍ରୟାଗରାଜ: ଆଲ୍ଲାହାବାଦ ହାଇକୋର୍ଟ ସୋମବାର କହିଛନ୍ତି ଯେ, ଜଣେ ମହିଳା କେବେହେଲେ ବଳାତ୍କାର କରି ନ ପାରନ୍ତି, କିନ୍ତୁ ଯଦି ସେ ଅନ୍ୟ ପୁରୁଷମାନଙ୍କ ସହଯୋଗରେ ଗଣଦୁଷ୍କର୍ମରେ ସହଯୋଗ କରିଥିବେ ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ଡି ଅଧୀନରେ ଥିବା ସଂଶୋଧିତ ବ୍ୟବସ୍ଥା ଅନୁସାରେ ବିଚାରଣା କରାଯାଇପାରିବ। ବଳାତ୍କାର ଓ ଗଣବଳାତ୍କାର ସହ ଜଡ଼ିତ ଏବଂ ୨୦୧୩ରେ ସଂଶୋଧିତ ଆଇପିସିର ଧାରା ୩୭୫ ଓ ୩୭୬ର ବିଶ୍ଳେଷଣ କରି ଜଷ୍ଟିସ୍ ଶେଖର କୁମାର ଯାଦବ କହିଲେ ଯେ ଦୁଷ୍କର୍ମରେ ସହଯୋଗ ପାଇଁ ଯେ କୌଣସି ମହିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହି ଅବସରରେ ଜନୈକା ସୁନୀତା ପାଣ୍ଡେଙ୍କ ତଳ କୋର୍ଟଙ୍କ ଆଦେଶ ବିରୋଧରେ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୫ ଜୁଲାଇ ମାସରେ ଜନୈକା ୧୫ ବର୍ଷୀୟା ବାଳିକାକୁ ଅପହରଣ ଓ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଜଣେ ମହିଳା ବାଳିକାକୁ ପ୍ରଲୋଭିତ କରି ଅପହରଣ ଓ କେତେକ ପୁରୁଷଙ୍କ ଦ୍ବାରା ଗଣବଳାତ୍କାରରେ ସହଯୋଗ କରିଥିଲେ। କିନ୍ତୁ ସେ ମହିଳା ହୋଇଥିବାରୁ ତାଙ୍କ ନାମ ଏଫ୍ଆଇଆର୍ରେ ନ ଥିଲା। ସମ୍ପୃକ୍ତା ବାଳିକାର ଅଭିଯୋଗକ୍ରମେ ତଳକୋର୍ଟ ଉକ୍ତ ମହିଳାଙ୍କୁ ସମନ ଜାରି କରିଥିଲେ। ଏହା ବିରୋଧରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କୁ ଉକ୍ତ ଗଣବଳାତ୍କାର ମାମଲାରେ ଅନ୍ୟତମ ଦୋଷୀ ଭାବେ ବିଚାର କରି ତାଙ୍କ ବିରୋଧରେ ବିଚାରଣା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କହିଛନ୍ତି।