କେବଳ ଶିକ୍ଷିତ ହୋଇଥିବା କାରଣରୁ ମହିଳାଙ୍କୁ ଚାକିରି କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ : ଜଣେ ମହିଳା ଶିକ୍ଷିତ ହୋଇଥିବାରୁ ତାଙ୍କୁ ଚାକିରି କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଆମ ସମାଜ ଏପର୍ଯ୍ୟନ୍ତ ଗ୍ରହଣ କରି ନାହିଁ ଯେ ଘରର ମହିଳା ଆର୍ଥିକ ଦିଗରେ ଯୋଗଦାନ ଦେବା ଉଚିତ। ପତ୍ନୀଙ୍କୁ ଭରଣପୋଷଣ ଦେବା ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏହା କହିଛନ୍ତି।

ସୂଚନାଯୋଗ୍ୟ ୨୦୧୦ରେ ଏହି ଦମ୍ପତି ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ବିବାହରେ ଫାଟ ସୃଷ୍ଟି ହେବାରୁ ମହିଳା ଜଣକ ନିଜ ଝିଅକୁ ଧରି ୨୦୧୩ରୁ ସ୍ବାମୀଙ୍କ ନିକଟରୁ ଅଲଗା ରହୁଛନ୍ତି। ପୁଣେର ଫ୍ୟାମିଲି କୋର୍ଟ ମହିଳାଙ୍କ ଭରଣପୋଷଣ ପାଇଁ ମାସିକ ୫୦୦୦ଟଙ୍କା ଏବଂ ଝିଅର ଲାଳନପାଳନ ପାଇଁ ୭୦୦୦ ଟଙ୍କା ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ବାମୀଙ୍କ ଆବେଦନ ଅନୁଯାୟୀ ମହିଳା ଜଣକ ଚାକିରି କରୁଛନ୍ତି ଏବଂ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ। ତେଣୁ ତାଙ୍କର ଭରଣପୋଷଣ ପାଇଁ ସେ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ କରିବେ ନାହିଁ। ମାମଲାର ଶୁଣାଣି କରି ବିଚାରପତି ପଚାରିଥିଲେ ‘‘ଆଜି ମୁଁ ବିଚାରପତି ଆସନରେ ଅଛି, ଭବିଷ୍ୟତରେ ମୁଁ ଯଦି ଘରେ ବସିବାକୁ ପସନ୍ଦ କରିବି ତେବେ ମତେ କ’ଣ କୁହାଯିବ କି ତୁମେ ଜଜ୍‌ ସ୍ତରୀୟ ମହିଳା ଘରେ କାହିଁକି ବସିଛ? କାମ କରିବା ନ କରିବ‌ା ମହିଳାଙ୍କର ନିଜସ୍ବ ପସନ୍ଦ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବ।

ସମ୍ବନ୍ଧିତ ଖବର