ଅପରେସନ୍‌ରେ ସାମିଲ ହେବେ ମହିଳା କମାଣ୍ଡୋ

ପଥର ଫିଙ୍ଗାଳିଙ୍କ ମୁକାବିଲା

ଶ୍ରୀନଗର: ସୁରକ୍ଷା ବାହିନୀକୁ ପଥର ଆକ୍ରମଣରୁ ରକ୍ଷା କରିବା ପାଇଁ ଏବେ ସିଆର୍‌୍‌ପିଏଫ୍‌୍‌ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରିବ। ୫ ଶହ ମହିଳା କମାଣ୍ଡୋ ପଥର ଆକ୍ରମଣ ହେଉଥିବା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ସିଆରପିଏଫ୍‌ର ‘ସୁପର-୫୦୦’ ନାମକ ଏକ ମହିଳା କମାଣ୍ଡୋ ଦଳ ଖୁବ୍‌୍‌ଶୀଘ୍ର ଜମ୍ମୁ କଶ୍ମୀରରେ ମୁତୟନ ହେବେ। ମହିଳା କମାଣ୍ଡୋଙ୍କ ତାଲିମ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରିପାରିବେ। ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ନିକଟରେ ଶତାଧିକ ମହିଳା ପଥର ଧରି ରାସ୍ତାକୁ ଆସିବା ପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ଏକ ବଡ଼ ସମସ୍ୟା ହୋଇଥିଲା।
ବିଗତ ୨ ବର୍ଷ ମଧ୍ୟରେ ଜମ୍ମୁ କଶ୍ମୀରରେ ପଥର ଫିଙ୍ଗାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଛନ୍ତି। ସ୍କୁଲ ଓ କଲେଜ୍‌ ଛାତ୍ରୀଙ୍କୁ ଏଥିରେ ନିୟୋଜିତ କରାଯାଉଥିବାରୁ ସେନାର ସମସ୍ୟା ବଢ଼ିବାରେ ଲାଗିଛି। ଆତଙ୍କବାଦୀ ନିପାତ ଅଭିଯାନ ବେଳେ ମହିଳାଙ୍କ ଦ୍ୱାରା ପଥର ମାଡ଼ ଯୋଗୁଁ ଅନେକ ଯବାନ ନିକଟରେ ଗୁରୁତର ଆହତ ହୋଇଥିଲେ। ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ସ୍ଥାନୀୟ ଯୁବକଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ବିଚ୍ଛିନ୍ନତାବାଦୀମାନେ ଏହି କାର୍ଯ୍ୟକୁ ଦିନକୁ ଦିନ ବ୍ୟାପକ କରୁଥିବାରୁ ଏହାର ମୁକାବିଲା ପାଇଁ ଏବେ ସେନା କେତେକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ମହିଳା ପଥର ଫିଙ୍ଗାଳିଙ୍କୁ ନିୟନ୍ତ୍ରଣ କରିବା ସେନା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଏବେ ସିଆରପିଏଫ୍‌ର ମହିଳା କମାଣ୍ଡୋ ଦଳ ଏହି ପରିସ୍ଥିତିର ମୁକାବିଲା କରିବେ। ପାକିସ୍ତାନ ଏବେ ପଥର ଫିଙ୍ଗାଳିଙ୍କୁ ଅଧିକ ପାଣ୍ଠି ଯୋଗାଇ ଏହାକୁ ବ୍ୟାପକ କରିବାକୁ ଚାହୁଛି। ବିଚ୍ଛିନତାବାଦୀ ନେତାଙ୍କ ଦ୍ୱାରା ଏହା ପରିଚାଳିତ ହେଉଥିବାରୁ ଏହା ଉପରେ ପୁଲିସ ଓ ଗୁଇନ୍ଦା ବିଭାଗର ସତର୍କ ନଜର ରହିଛି। ସିଆରପିଏଫ୍‌ର ମହିଳା କମାଣ୍ଡୋ ଦଳ ମୁତୟନ ହେଲେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍‌ ଅଲ ଆଉଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅଧିକ ସହଜ ହୋଇପାରିବ।

ସମ୍ବନ୍ଧିତ ଖବର