ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଷ୍ଟଣ୍ଟ୍‌ ପ୍ରଦର୍ଶନ କରିବେ ସିଆର୍‌ପିଏଫ୍‌ ବାଇକର୍ସ କଣ୍ଟିଜେଣ୍ଟରେ ୨ ଓଡ଼ିଆ ମହିଳା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡରେ ଚଳିତବର୍ଷ ପ୍ରଥମଥର ପାଇଁ ଅଂଶଗ୍ରହଣ କରୁଛି ସିଆରପିଏଫ୍‌ର  ଅଲ ଉଇମେନ୍ ବାଇକର୍ସ କଣ୍ଟିଜେଣ୍ଟ୍‌ ବା ସମସ୍ତ ମହିଳା ସଦସ୍ୟ ଥିବା କଣ୍ଟିଜେଣ୍ଟ । ସିଆରପିଏଫ୍‌ର ସ୍ବତନ୍ତ୍ର ଦଙ୍ଗା ନିୟନ୍ତ୍ରଣ ୟୁନିଟ୍ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍)ର ଇନ୍ସପେକ୍ଟର ସୀମା ନାଗଙ୍କ ନେତୃତ୍ବରେ ଏହି ବାଇକର୍ସ କଣ୍ଟିଜେଣ୍ଟରେ ୬୫ ଜଣ ମହିଳା ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ୨ ଜଣ ଓଡ଼ିଆ ମହିଳା ଅଛନ୍ତି । ସିଆରପିଏଫରେ କା‌ର୍ଯ୍ୟରତ ଢେଙ୍କାନାଳର ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡ଼ାର ପ୍ରତିମା ବେହେରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ପ୍ରତିମା ବେହେରା ୧୯୯୫ରୁ ସିଆରପିଏଫ୍‌ରେ ହେଡ୍ କନେଷ୍ଟବଳ ରୂପେ କାର୍ଯ୍ୟରତ ଥିବା ବେଳେ ୨୦୧୭ରୁ ପ୍ରିୟଦର୍ଶନୀ କନେଷ୍ଟବଳ ରୂପେ ଅବସ୍ଥାପିତ ଅଛନ୍ତି। ଅଲ ଉଇମେନ୍ ବାଇକର୍ସ କଣ୍ଟିଜେଣ୍ଟ ଦ୍ବାରା ରାଜପଥରେ ୩୫୦ ସିସି ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌ରେ ଅଦ୍ଭୁତପୂର୍ବ ସାହସିକ କଳାକୌଶଳ ପ୍ରଦର୍ଶନ କରାଯିବ ଏବଂ ଡେୟାର ଡେଭିଲ ଷ୍ଟଣ୍ଟ୍‌କୁ ପ୍ରମୁଖ ରୂପେ ଉପସ୍ଥାପନ କରାଯିବ। ରାଜପଥରେ ୯୦ ମିନିଟ୍‌ର ପ‌ରେଡ୍‌ ଶେଷ ହେବା ପରେ ଅଲ୍‌ ଉଇମେନ୍ ବାଇକର୍ସ କଣ୍ଟିଜେଣ୍ଟ ସେମାନଙ୍କ ଦ୍ବାରା ସ୍ବତନ୍ତ୍ର ପ୍ରଶିକ୍ଷିତ ସାହସିକ କଳାକୌଶଳ ପ୍ରଦର୍ଶନ କରିବେ। ଏ ନେଇ ଗତ ଦୁଇ ମାସରୁ କଣ୍ଟିଜେଣ୍ଟ ଦ୍ବାରା ପ୍ରଦର୍ଶନକୁ ସଫଳ କରିବା ପାଇଁ ଅଭ୍ୟାସ କରାଯାଉଛି। ବାଇକ୍‌ ବିଭିନ୍ନ ଷ୍ଟଣ୍ଟ ପ୍ରଦର୍ଶନ କରିବା ପରେ ୬୫ ଜଣ ମହିଳା ବାଇକର୍ସ ହ୍ୟୁମାନ ପିରାମିଡ୍ ପ୍ରସ୍ତୁତ କରିବେ, ଯାହା ବାଇକର୍ସ କଣ୍ଟିଜେଣ୍ଟର ସବୁଠାରୁ ଆକର୍ଷଣୀୟ ଡେୟାର ଡେଭିଲ ଆଇଟମ ବୋଲି କୁହାଯାଉଛି।

‘ସମ୍ବାଦ’ ସହିତ କଥାବାର୍ତ୍ତାରେ ପ୍ରିୟଦର୍ଶିନୀ ଓ ପ୍ରତିମା ଏହି ଇଭେଣ୍ଟ ପାଇଁ ସେମାନେ ପ୍ରତ୍ୟେକ ଦିନ ପ୍ରାୟ ୧୦-୧୨ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର