ଛାତ୍ରଙ୍କୁ ଅପହରଣ ଘଟଣାରେ ମହିଳା ଡାକ୍ତର ଗିରଫ, ମୁଣ୍ଡ ଜାମିନ ରଖି ମାଗିଥିଲେ ୭୦ ଲକ୍ଷ

ନୂଆଦିଲ୍ଲୀ: ଅପହରଣକାରୀ ସାଜିଲେ ମହିଳା ଡାକ୍ତର | ଜଣେ ଛାତ୍ରଙ୍କୁ ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ମାଗିଥିବାବେଳେ ସ୍ପେଶାଲ ଅପରେସନ ଗ୍ରୁପ ଅପହରଣକାରୀଙ୍କୁ ଗିରଫ କରିଛି | ଉତ୍ତରପ୍ରଦେଶର ଗୋଣ୍ଡାରେ କିଛି ଏଭଳି ଘଟଣା ଘଟିଛି | ଆଉ ଅପହରଣକାରୀଙ୍କୁ ପୁଲିସ ହରିୟାଣାରୁ ଗିରଫ କରିଛି | ମିଳିଥିବା ସୂଚନା ଅନୁଯାୟୀ ୧୮ ଜାନୁୟାରୀ ୨୦୨୧ ଦିନ କଲେଜ ଛାତ୍ର ଗୌରବ ହାଲଦାରଙ୍କୁ ଅପହରଣ କରାଯାଇଥିଲା | ପରେ ଅପହରଣକାରୀ ତାଙ୍କ ପିତା ନିଖିଲ ହାଲଦାରଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ଗୌରବଙ୍କ ବାପା କୋଟୱାଲୀ ନଗର ପୁଲିସ ଥାନାରେ ଅଭିଯୋଗ କରିଥିଲେ |

ଏହା ପରେ ଅପହରଣକାରୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୁଲିସ ମୋବାଇଲ ନମ୍ବର ଟ୍ରାକ କରି ୨୨ ଜାନୁଆରୀରେ ଗ୍ରେଟର ନୋଏଡାରୁ ତିନି ଅଭିଯୁକ୍ତ ଅଭିଷେକ, ନୀତେଶ ଏବଂ ମୋହିତ ସିଂଙ୍କୁ ଗିରଫ କରିଥିଲା | ଏହା ସହ ଅପହରଣର ଶିକାର ହୋଇଥିବା ଗୌରବଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା | ତେବେ ଏହି ଘଟଣା ପଛରେ ମାଷ୍ଟରମାଇଣ୍ଡ ଭାବେ ଜଣେ ମହିଳା ଡାକ୍ତର ଥିବାର ଅଭିଯୁକ୍ତମାନେ କହିଥିଲେ | ଏହା ପରେ ମହିଳା ଡାକ୍ତର ଜଣକ ପ୍ରୀତି ମେହେରା ହୋଇଥିବାର ପୁଲିସ ଜାଣିବାକୁ ପାଇଥିଲା |

ପ୍ରୀତିଙ୍କ ବାବଦରେ ସୂଚନା ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା | ଆଉ ମାଷ୍ଟରମାଇଣ୍ଡ ପ୍ରୀତି ମେହରାଙ୍କୁ ତାଙ୍କ ପୈତୃକ ଗାଁ ହରିୟାଣାର ଝଞ୍ଜାରରୁ ଗିରଫ କରାଯାଇଥିଲା | ପଚରାଉଚୁରା ସମୟରେ ପ୍ରୀତି ମେହରା ସ୍ୱୀକାର କରିଛନ୍ତି ଯେ ଟଙ୍କା ଲୋଭରେ ସେ ଏହି ଅପହରଣ କରିଥିଲେ | ଗିରଫ ପରେ ପ୍ରୀତିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ଜାମିନ ନାମଞ୍ଜୁର ହେବାରୁ ପ୍ରୀତିଙ୍କୁ ଜେଲ ପଠାଇଦିଆଯାଇଛି |

ସମ୍ବନ୍ଧିତ ଖବର