ମୁମ୍ବାଇ: ଯଦି ଦୃଢ଼ ଇଚ୍ଛାଶକ୍ତି ଶକ୍ତି ଏବଂ ନିଜ କାର୍ଯ୍ୟ ପ୍ରତି ନିଷ୍ଠା ଥାଏ ତେବେ ସବୁକିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଶ୍ରମିକ ମହିଳା ବିକାଶ ସଂଗଠନର ମହିଳାମାନେ। ୧୯୯୧ରେ ପଞ୍ଜୀକୃତ ହୋଇଥିବା ଏହି ସଂଗଠନ ଆଜିର ସମାଜ ପାଇଁ ଉଦାହରଣ ପାଲଟିଛି। ଶ୍ରମିକ ମହିଳା ବିକାଶ ସଂଗଠନରେ ସାମିଲ ହୋଇ ପ୍ରାୟ ୩୦୦ମହିଳାମାନେ ଆଜି ନିଜକୁ ସଶକ୍ତ କରିବାରେ ସଫଳ ହୋଇଛନ୍ତି।

ଏହି ସଂଗଠନ ନିଜ ପରିବାରରେ ସ୍ବାମୀ ବା ଶାଶୁ-ଶଶୁରଙ୍କ ଦ୍ବାରା ଶୋଷଣର ଶିକାର ହେଉଥିବା ମହିଳା ଓ ବିଧବା ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ବେଳେ ଏବେ ଏହି ସଂଗଠନ ୩କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଜଣାପଡ଼ିଛି। ପ୍ରଥମେ ସଂଗଠନର ମହିଳାମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାର ବ୍ୟବସାୟ ଆରମ୍ଭ କରିବା ପାଇଁ ୩ହଜାର ଟଙ୍କା ଯୋଗାଡ଼ କରିବା ଅସମ୍ଭବ ଥିଲା। କିନ୍ତୁ ବହୁ କଷ୍ଟରେ ୩ହଜାର ଟଙ୍କା ଯୋଗାଡ଼ କରାଯାଇ ଖାଦ୍ୟ ପ୍ରସ୍ତୁତ କରିବାର ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ଏବେ ଶ୍ରମିକ ମହିଳା ବିକାଶ ସଂଗଠନର ମହିଳମାନଙ୍କୁ ୩କୋଟି ଟଙ୍କାର ଲାଭ ଦେଇଛି।
ଶ୍ରମିକ ମହିଳା ବିକାଶ ସଂଗଠନର ଟ୍ରଷ୍ଟି ଭାରତୀ ଠାକୁରଙ୍କ କହିବା ମୁତାବକ, ମହାରାଷ୍ଟ୍ର, ବସଇର ଏମଜି ରୋଡରେ ଥିବା ନୂତନ ଇଂରାଜୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଇନ୍ଦୁମତି ବର୍ବେ ତାଙ୍କ ବନ୍ଦୁ ଉଷା ମାଣିକର, ଜୟଶ୍ରୀ ସାମନ୍ତ ଏବଂ ଶୁଭଦା କୋଠାବଲେଙ୍କ ସହ ମିଶି ଶ୍ରମିକ ମହିଳା ବିକାଶ ସଂଗଠନ ଗଠନ କରିଥିଲେ। ଇନ୍ଦୁମତି ବର୍ବେଙ୍କ ତିନିଜଣ ବନ୍ଧୁ ଭିନ୍ନ ପେଶାରେ ଥିଲେ। ଜଣେ ଶିକ୍ଷକ ଏବଂ ଜଣେ ଗୃହିଣୀ ଥିବା ବେଳେ ଜଣେ ସାମାଜିକ କର୍ମୀ ଥିଲେ। କିନ୍ତୁ ଏହି ସମସ୍ତଙ୍କର ଉଦ୍ଦେଶ୍ୟ କେବଳ ଗୋଟିଏ ଥିଲା, ଶୋଷଣର ଶିକାର ହେଉଥିବା ମହିଳାମାନଙ୍କୁ ସାହାଯ୍ୟ କରିବା। ଏହି ଅଭିଯାନ ୮୦ଦଶକରେ ଆରମ୍ଭ ହୋଇଥିଲା। ତା’ପରେ ଶ୍ରମିକ ମହିଳା ବିକାଶ ସଂଗଠନର ମହିଳାମାନେ ଏଠାରେ ପାମ୍ପଡ଼ ତିଆରି କରିବା ଆରମ୍ଭ କରିଥିଲେ। ତେବେ ଅର୍ଥନୈତିକ ପ୍ରତିବନ୍ଧକ ଯୋଗୁଁ ଏହି ବ୍ୟବସାୟ ବନ୍ଦ ହୋଇଯାଇଥିଲା। ତା’ପରେ ଏହି ଟ୍ରଷ୍ଟର ପ୍ରତିଷ୍ଠାତାମାନେ ଏକ ସ୍କୁଲ କ୍ୟାମ୍ପସରେ କ୍ୟାଣ୍ଟିନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀ ଠାକୁର କହିଛନ୍ତି ଯେ, ପାମ୍ପଡ଼ ବ୍ୟବସାୟ ପରେ ଆମେ ଖାଦ୍ୟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଲୁ। ଏହାକୁ ଆରମ୍ଭ କରିବା ପାଇଁ ସଂଗଠନରେ ସେ ସମୟରେ ଥିବା ମହିଳାମାନେ ୩ହଜାର ଟଙ୍କା ଯୋଗାଡ଼ କରିବା ସହ ୭ଜଣ ମହିଳାଙ୍କୁ ରୋଷେୟା ଭାବେ ରଖିଥିଲେ, ଯେଉଁମାନେ ବସ୍ ଡ୍ରାଇଭର, ଅଟୋରିକ୍ସା ଡ୍ରାଇଭର, କାର୍ଯ୍ୟରତ ଯୁବକ ଏବଂ ସ୍ୱଳ୍ପ ଆୟ କରୁଥିବା ଗ୍ରାହକଙ୍କ ପାଇଁ ଖାଦ୍ୟ ତିଆରି କରି ସେମାନଙ୍କୁ ଦେବାକୁ ଯାଇ ପାରିବେ। ୨୦୨୧ମସିହାରେ, ଏହି ବ୍ୟବସାୟକୁ ବିସ୍ତାର କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୬ଟି ଆଉଟଲେଟ୍ ଖୋଲା ଯାଇଥିଲା, ଯେଉଁଠି ୩କୋଟି ଟଙ୍କାର କାରବାର ହୋଇଥିଲା। ୧୯୯୧ରୁ ୨୦୨୧ ମଧ୍ୟରେ ଏହି ସଂଗଠନ ୩୦୦ମହିଳାଙ୍କୁ ସଶକ୍ତ କରିପାରିଛି।
କ୍ୟାଣ୍ଟିନରେ ଗ୍ରାହକଙ୍କୁ ଦିଆଯାଉଥିବା ଖାଦ୍ୟ ପ୍ଲେଟରେ ଦୁଇଟି ରୁଟି, ମସୁର ଡାଲି, ଭାତ, ଦୁଇ ପ୍ରକାରର ତରକାରୀ, ପାମ୍ପଡ଼ ଏବଂ ଆଚାର ଅନ୍ତର୍ଭୁକ୍ତ। ପ୍ରାରମ୍ଭରେ, ଗୋଟିଏ ପ୍ଲେଟର ମୂଲ୍ୟ ୧୦ଟଙ୍କା ଥିଲା, ଯାହା ବର୍ତ୍ତମାନ ୭୩ଟଙ୍କାକୁ ବୃଦ୍ଧି ପାଇଛି। ଏହି କ୍ୟାଣ୍ଟିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ଯାଉଛି।